କିଡନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି ୨ ବର୍ଷର କୁନି ଝିଅ ପ୍ରିୟଙ୍କା, ଅପେକ୍ଷା କରିଛି ସହାୟତାକୁ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଂଚାୟତର ବାଙ୍କମୁହାଁ ଗାଁର ୨ବର୍ଷର କୁନି ଝିଅ। ନାଁଟି ହେଉଛି ପ୍ରିୟଙ୍କା । ଜନ୍ମ ପରେ ପରେ ସବୁକିଛି ଭଲ ଥିଲା । ହେଲେ ହଠାତ ଦୁନିଆ କଣ ଜାଣିବା ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ପ୍ରିୟଙ୍କା । ପେଟ ଫୁଲି ଫୁଲି ବଡ ହୋଇଗଲାଣି , ଗୋଡ , ହାତ , ମୁହଁ ସବୁ ଫୁଲିବାରେ ଲାଗିଛି । ଯନ୍ତ୍ରଣା ଏତେ ହେଉଛି ଯେ ସବୁ ବେଳେ ପ୍ରିୟଙ୍କା ଖାଲି କାନ୍ଦୁଛି । ତେବେ ପ୍ରିୟଙ୍କାର ବାପା ପ୍ରେମାନନ୍ଦ ନାୟକ ଜଣେ ଭିନ୍ନକ୍ଷମ । ପର ଘରେ ଯାହା କିଛି କାମ ଧନ୍ଦା କରି ଆଣନ୍ତି ସେଥିରେ ପରିବାର ଚଳାଇବା କଷ୍ଟକର । ତେଣୁ ପ୍ରିୟଙ୍କାର ଚିକିତ୍ସା କରିବାକୁ ଅଭାବି ପରିବାର ପାଖରେ ଅର୍ଥର ଅଭାବ । ତେଣୁ ବଡ ଡାକ୍ତର ଖାନାରେ ଝିଅର ଚିକିତ୍ସା କରିପାରୁନାହାନ୍ତି । ଅନ୍ଯପଟେ ଚିକିତ୍ସା ନପାଇ ପ୍ରାୟଙ୍କାର ଦେହ ଦିନକୁ ଦିନ ଅତ୍ଯନ୍ତ ଖରାପ ହେବାରେ ଲାଗିଛି ।

ପ୍ରିୟଙ୍କାକୁ ଯେତେବେଳଏ ୧୮ ମାସ ହୋଇଥିଲା ସେତେବେଳେ ଆରଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ଟୀକା ନେଇଥିଲା । ହେଲେ ଟିକା ନେବା ପରେ ରାତିରେ ପାଟି କରିଥିଲା ପ୍ରିୟଙ୍କା । ସ୍ଥାନୀୟ ଆାଶା ଦିଦିଙ୍କ ପରାମର୍ଶ କ୍ରମେ ଆରଡିରେ ମେଡିକାଲରୁ ଔଷଧ ନେଇ ପରିବାର ଲୋକେ ଦେଇଥିଲେ । ହେଲେ କୁନି ଝିଅ ଭଲ ନହେବାରୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ମେଡିକାଲ ନେଇଥିଲେ ପରିବାର ଲୋକେ । କଟକ ମେଡିକାଲରେ ପ୍ରିୟଙ୍କାର କିଡନୀ ରୋଗ ହୋଇଥିବା ଜଣାପଡିଥିଲା । ଏହାପରେ ଟଙ୍କା ନେଇକି ଆସିଲେ ଚିକିତ୍ସା ହେବ ବୋଲି ଡାକ୍ତର କହିବା ପରେ ଟଙ୍କା ଅଭାବରୁ ପ୍ରିୟଙ୍କାକୁ ନେଇ ଆଉ ବଡ ମେଡିକାଲ ଯାଇପାରିଲେନାହିଁ ପରିବାର ଲୋକେ ।

ସେବେଠୁ ଚିକିତ୍ସା ନପାଇ ଘରେ ଯନ୍ତ୍ରଣାରେ ଛଟପଟ ହେଉଛି ପ୍ରିୟଙ୍କା । ତେବେ ସରକାର କି କେହି ସହୃଦୟ ବ୍ଯକ୍ତି ସାହାର୍ଯ୍ଯ କଲେ ପ୍ରିୟଙ୍କାର ଚିକିତ୍ସା ହୋଇପାରନ୍ତା ବୋଲି ପରିବାର ଲୋକେ ନିବେଦନ କରିଛନ୍ତି । ତାହାସହ ଟୁଇଟ ଯୋଗେ ମଧ୍ଯ ଜିଲ୍ଲାପାଳଙ୍କୁ ସାହାର୍ଯ୍ଯ ପାଇଁ ଅନୁରୋଧ କରିଛନ୍ତି।

ଦର୍ଶକବନ୍ଧୁ ଆପଣ ମାନଙ୍କ ସାହାର୍ଯ୍ଯ ଅନେକ ପିଲାଙ୍କ ଜୀବନ ବଂଚାଇଛି । ତେଣୁ ଯଦି କେହି ସହୃଦୟ ବ୍ଯକ୍ତି ଅବା ସଂଗଠନ ଏହି ଅସହାୟ ପରିବାରକୁ ସାହାର୍ଯ୍ଯ କରେ‘ ତେବେ ପୁଣି ଥରେ ପ୍ରିୟଙ୍କା ମୁିହଁରେ ହସ ଫୁଟିପାରନ୍ତା । ସାହାର୍ଯ୍ଯ କରିବାକୁ 7381213102 ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ଏହି ପରିବାର ।

ଚାନ୍ଦବାଲିରୁ ଦେବାଶୀଷ ପାଢୀଙ୍କ,ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.