ସାମ୍ବାଦିକ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ୫ ଜଣ ଦୋଷୀ ସାବ୍ୟସ୍ତ, ୨୦୦୮ ମସିହାରେ ଘଟିଥିଲା ଘଟଣା

୧୫ ବର୍ଷ ତଳର ହତ୍ୟା ମାମଲାରେ ଦିଲ୍ଲୀର ସାକେତ କୋର୍ଟ ଆଜି ସମସ୍ତ ୫ ପାଞ୍ଚ ଜଣଙ୍କୁ ଲୁଟ୍ ଏବଂ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜଡ୍ କ୍ରାଇମ ଆକ୍ଟ- ମକୋକା ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।

କେନ୍ୟୁଜ୍(ବ୍ୟୁରୋ):୨୦୦୮ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ୫ ଜଣ ଦୋଷୀ ସାବ୍ୟସ୍ତ । ୧୫ ବର୍ଷ ତଳର ହତ୍ୟା ମାମଲାରେ ଦିଲ୍ଲୀର ସାକେତ କୋର୍ଟ ଆଜି ସମସ୍ତ ୫ ପାଞ୍ଚ ଜଣଙ୍କୁ ଲୁଟ୍ ଏବଂ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜଡ୍ କ୍ରାଇମ ଆକ୍ଟ- ମକୋକା ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ରବି କପୁର, ଅମିତ ଶୁକ୍ଲା, ବଲଜିତ ମଲିକ ଏବଂ ଅକ୍ଷୟ କୁମାରଙ୍କୁ ହତ୍ୟା ଓ ଲୁଟ୍ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀକୁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି।

୨୦୦୯ ବିପିଓ କର୍ମଚାରୀ ଜିଗିସା ଘୋଷ ହତ୍ୟାକାଣ୍ଡରେ ମଧ୍ୟ ରବି, ଅମିତ ଓ ବଲଜିତଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ମାମଲାରେ ୨୦୧୬ରେ ଏହି ତିନି ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେପ୍ଟେମ୍ବର ୩୦, ୨୦୦୮ରେ ଦିଲ୍ଲୀର ବସନ୍ତ କୁଞ୍ଜ ନେଲସନ ମଣ୍ଡେଲା ମାର୍ଗରେ ୨୫ ବର୍ଷୀୟ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କୁ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିଲା। କାରରୁ ତାଙ୍କ ମୃତଦେହ ମିଳିଥିଲା। ସୌମ୍ୟାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ବିଳମ୍ବରେ ହେଲେ ବି କୋର୍ଟଙ୍କ ରାୟକୁ ନେଇ ସୌମ୍ୟାଙ୍କ ମା’ ସନ୍ତୋଷ ପ୍ରକାଶ କରିବା ସହ ଘଟଣାର ଯାଞ୍ଚ କରିଥିବା ଦିଲ୍ଲୀ ପୋଲିସର ସ୍ପେଶାଲ କମିସନର ଏଚଜିଏସ ଧଲିୱାଲଙ୍କୁ ଧନ୍ୟବାଦ ଦେଇ କୁଣ୍ଢାଇ ପକାଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି, ସୌମ୍ୟାଙ୍କ ମା’। ଅକ୍ଟୋବର ୨୬ ତାରିଖରେ କୋର୍ଟ ସମସ୍ତ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇ ପାରନ୍ତି ।.