ବାଲୁଗାଁ: ମାରିଦେଲେ ଲୁଟେରା, ଛିନତାଇ ବେଳେ ଚଳନ୍ତା ବାଇକରୁ ପଡି ମହିଳା ମୃତ

ସାମାନ୍ୟ କେତେଟା ଟଙ୍କା ପାଇଁ ଲୁଟେରା ନେଇଗଲେ ଜୀବନ। ମାନବିକତା ଆଗରେ ଜିତିଗଲା ଲୋଭର ରାକ୍ଷାସ। ଏମିତି କିଛି ଘଟଣା ଘଟିଛି ବାଲୁଗାଁର ନାଭାଲ ଅଞ୍ଚଳରେ। ଦୁର୍ବୃତ୍ତ ମାନେ ଭ୍ୟାନିଟ ବ୍ୟାଗକୁ ଝାମ୍ପି ନେବା ବେଳେ ବାଇକରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗୋପପୁର ଚିକିଲି ଗାଁ ମଞ୍ଜୁଲତା ମହାନ୍ତି କୌଳାସ ମଲ୍ଲିକ ନାମକ ଜଣେ ସମ୍ପର୍କିୟଙ୍କ ସାଙ୍ଗେ ବାଇକ ଯୋଗେ ବଉଳାବନ୍ଧ ଯାଉଥିଲେ। ନାଭାଲ ଛକ ଠାରେ ବିପରିତ ଦିଗରୁ ଆସୁଥିବା ଏକ କଳା ପଲସର ହଠାତ ମହିଳାଙ୍କ ଭ୍ୟାନିଟ ବ୍ୟାଗକୁ ଛଡାଇ ନେଇଥିଲେ। ସେହି ସମୟରେ ବାଇକ ଚଳାଉଥିବା କୌଳାସ ବାଇକର ଭାରସାମ୍ୟ ରକ୍ଷା କରିପାରିଲେ ନାହିଁ। ତେଣୁ ଉଭୟ ସେଠାରେ ପଡି କିଛି ବାଟ ଘୋଶାଡି ହୋଇଯାଇଥିଲେ। ମହିଳା ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରଥମେ ତାଙ୍କୁ  ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି ଡାକ୍ତରଖାନାର କର୍ମଚାରୀମାନେ ଏହାକୁ ଅପରାଧିକ ମାମଲା ଓ ମଞ୍ଜୁଳାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନେ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ। ପରେ ମଞ୍ଜୁଳାଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଣପୁର ଡାକ୍ତରଙ୍କ ଠାରୁ ସୂଚନା ପାଇବା ପରେ ଡାକ୍ତରଖାନାରେ ପୋଲିସ ପହଞ୍ଚି ପରିବାରକୁ ଖବର ଦେବା ସହ ତଦନ୍ତ ଚଳାଇଛି।