କେମିତି ପୋଡ଼ି ହେଲେ ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ? ଅର୍ଦ୍ଧଦଗ୍ଧ ଅବସ୍ଥାରେ ହେଲେ ଉଦ୍ଧାର

ଗଜପତି(କେନ୍ୟୁଜ୍):ଅର୍ଦ୍ଧଦଗ୍ଧ ଅବସ୍ଥାରେ ସହକାରୀ ବନ ସଂରକ୍ଷକଙ୍କୁ ଉଦ୍ଧାର । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ ।  ଗତକାଲି ବିଳମ୍ବିତ ରାତି  ଯାଏଁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ପୋଲିସ ଓ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ଗହଳି ଦେଖିବାକୁ ମିଳିଥିଲା।  କାରଣ ପଚାରିବାରୁ କେହି ପ୍ରତିକ୍ରିୟା ଦେବାକୁ ଉଚ୍ଛୁକ ନଥିଲେ।  ଏପରି କି ଉପସ୍ଥିତ ପୋଲିସ ଅଧିକାରୀ ଭିଡିଓ ଏବଂ ଫୋଟ ଉଠାଇବାକୁ ମଧ୍ୟ ବାରଣ କରୁଥିଲେ ।

acfo burning

ଖବର ନେବା ପରେ ଜଣା ପଡିଥିଲା ଯେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାର କୌଣସି ସୂଚନା ପୋଲିସ ଓ ବନ ବିଭାଗ ଦେଇ ନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ  ଖବର ମିଳିଛି ଯେ ସୌମ୍ୟରଞ୍ଜନ ସଟ୍‌ସର୍କିଟ ଯୋଗୁଁ ଅଗ୍ନି  ସଂସ୍ପର୍ଷରେ  ଆସି ଜଳି ଯାଇଛନ୍ତି।  ପୋଲିସ କିନ୍ତୁ ଘଟଣା ବିଷୟରେ କିଛି କହିନଥିବା ବେଳେ ସୌମ୍ୟରଞ୍ଜନ ରହୁଥିବା ବାସଭବନକୁ ବିଳମ୍ବିତ ରାତ୍ରିରେ ପହଞ୍ଚି ତଦନ୍ତ କରିବା ସହ କିଛି ସାମଗ୍ରୀ ଜବତ କରିଛି । ସେପଟେ ସୌମ୍ୟରଞ୍ଜନଙ୍କ ସହ ତାଙ୍କ ପତ୍ନୀ  ରହୁଥିଲେ ମଧ୍ୟ  ଏହି ଘଟଣା ସଂପର୍କରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ତେବେ ସୌମ୍ୟରଞ୍ଜନ ପୋଡି ହେବା ଘଟଣା ହତ୍ୟା ନା  ଆତ୍ମହତ୍ୟା ପ୍ରୟାସ ନା ଏକ ଦୁର୍ଘଟଣା ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି ପୋଲିସ କହିଛି ।  ସୌମ୍ୟରଞ୍ଜନ ଶରୀର ୯୦ ପ୍ରତିଶତ ପୋଡି ଯାଇଥିବା  ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଛନ୍ତି । ଯେହେତୁ ସେ ଗୁରୁତର ଅଛନ୍ତି ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ସୌମ୍ୟରଞ୍ଜନଙ୍କ ଗତ ଡିସେମ୍ବର ମାସରେ ବିବାହ ହୋଇଥିଲା ଓ ସେ ପାରଳାଖେମୁଣ୍ଡି ସ୍ଥିତ ନିଜ ସରାକାରୀ ବାସଭବନରେ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.