ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ ରୁମରେ ଭଙ୍ଗାରୁଜା ଘଟଣା: ଆଉ ୮ ଜଣଙ୍କୁ ବାନ୍ଧିଲା ପୋଲିସ୍

ସମ୍ବଲପୁର(କେନ୍ୟୁଜ୍):ଓକିଲଙ୍କ ଆନ୍ଦୋଳନ ବେଳେ ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ ରୁମରେ ଭଙ୍ଗାରୁଜା ଘଟଣାରେ ବଢୁଛି ଗିରଫଦାରୀ । ଆଉ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସମେତ କିଛି ଓକିଲ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।

ଓକିଲ ଆନ୍ଦୋଳନକୁ ନେଇ ଶୁଣାଣି ବେଳେ ପୋଲିସକୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସେମାନଙ୍କ ସହ କାହିଁକି ବିନମ୍ରତା ପୂର୍ବକ ଆଲୋଚନା କରୁଛ ବୋଲି ପ୍ରଶ୍ନ କରିଥିଲେ । ଆନ୍ଦୋଳନକାରୀ ଆଇନଜୀବୀଙ୍କୁ ଗିରଫ ସହ ସେମାନଙ୍କ ନାଁରେ ଏଫଆଇଆର୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପୋଲିସ ଡିଜି ଓ ସମ୍ବଲପୁର ଆଇଜି ।

ତେଣୁ ଆଗକୁ ଆନ୍ଦୋଳନକାରୀ ଓକିଲଙ୍କୁ ଗିରଫଦାରୀ ସଂଖ୍ୟା ବଢ଼ିବ । ଅନ୍ୟପଟେ ସମ୍ବଲପୁର କୋର୍ଟରେ ସୁରକ୍ଷା କଡ଼ାକଡ଼ି ରହିଛି । କଚେରୀ ଛକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିଛି । ସୁରକ୍ଷା ଦାୟିତ୍ୱରେ ୬ ଜଣ ଅତିରିକ୍ତ ଏସ୍‌ପି, ୧୦ ଜଣ ଡିଏସ୍‌ପି ଓ ୪୦ ଜଣ ଇନିସପେକ୍ଟର । ମୁତୟନ ଅଛନ୍ତି ୨୧ ପ୍ଲାଟୁନ୍‌ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.