ମୁଣ୍ଡର ଖସୁନି ଅନ୍ଧବିଶ୍ବାସର ଭୂତ, କେନ୍ଦୁଝରରୁ ଆସିଲା ପୁଣି ଏକ ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କଦମଡ଼ିହି ଗାଁରେ ଗାରେଡି ସନ୍ଦେହରେ ହତ୍ୟା କରି  ପୋତି ଦିଆ ଯାଇଥିଲା ମୃତ ଦେହ । ପୁଅର ଅଭିଯୋଗ ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୋତାଯାଇଥିବା ସ୍ଥାନରୁ ମାଟି ଖୋଳି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟଛେଦ ପାଇଁ କେନ୍ଦୁଝର ମୁଖ୍ୟ ଡାକ୍ତର ଖାନାକୁ ପଠାଯାଇଛି । ହତ୍ୟାକାରୀ ଛବି ମୁଣ୍ଡାକୁ ପଚାରିବାରୁ  ସେ ହତ୍ୟାକାଣ୍ଡ ଘଟାଇଥିବା କଥା ସ୍ଵୀକାର କରିଥିଲା ।

ଗତ ୫ ତାରିଖ ଦିନ ଛବି ତା ଛୁଆକୁ ଧରିଥିବା ସମୟରେ ମୃତ ନିରାଶ ମୁଣ୍ଡା ଛବିକୁ ପଚାରିଥିଲା ତୁ କାହିଁକି ଛୁଆକୁ ଧରିଛୁ । ଯେହେତୁ  ପୂର୍ବରୁ ଛବିଙ୍କ ସ୍ତ୍ରୀର  ମୃତ୍ୟୁ ଘଟିଥିଲା ତେଣୁ ଛବି ସନ୍ଦେହ କରୁଥିଲା ଯେ  ନିରାଶ ଗୁଣି କରି  ହତ୍ୟା କରିଛି। ଏହା ପରେ ନିରାଶ କାଳେ ଛବିଙ୍କ ଛୁଆକୁ  ମାରିଦେବ ତେଣୁ ନିରାଶକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରୁଥିଲା ଛବି। ଦଇବାତ୍ ମଇ ୫ ତାରିଖ ସନ୍ଧ୍ୟା ୭ଟାରେ କାନ୍ଦରା ନାଳ ନିକଟରେ ନିରାଶକୁ  ଏକାକୀ ଦେଖିବାକୁ  ପାଇଥିଲା ଛବି।  ଏହା ପରେ  ଛବି ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ଓ  ନିରାଶର ତଣ୍ଟି ଚିପି ହତ୍ୟା କରିବା ପରେ ପୋତି ଦେଇଥିଲା ।

ନିରାଶଙ୍କ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ନିରାଶଙ୍କୁ ପାଇନଥିଲେ। ଯାହା ଫଳରେ ବାଧ୍ୟ ହୋଇ ନୟାକୋଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏଘଟଣାରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ  ଆଜି ସମସ୍ତ ତଥ୍ୟ ପାଇ ବାଂଶପାଳ ତହସିଲଦାରଙ୍କ ଉପସ୍ଥିତିରେ ମାଟି ତଳୁ ମୃତ ଦେହ ଉଦ୍ଧାର କରିଛି । ପରେ  ଶବ ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଡାକ୍ତର ଖାନାକୁ ପଠାଇ ତଦନ୍ତ ଜାରି ରଖିଛି।  ଏହି ଘଟଣା ରେ ଆଉ କାହାର ସମ୍ପୃକ୍ତି ଅଛି ତାକୁ ଖୋଜୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.