Below header

ସପ୍ତାହକରେ ବ୍ରହ୍ମପୁରର ୨ଟି କଲେଜରେ ରାଗିଂ ଅଭିଯୋଗ: ବିନାୟକ କଲେଜ ପରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହୋଇଛି ରାଗିଂ

ବ୍ରହ୍ମପୁର(କେନ୍ୟୁଜ୍): ସପ୍ତାହକରେ ୨ଟି କଲେଜରେ ରାଗିଂ ଅଭିଯୋଗ। ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ପରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଛି ରାଗିଂ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଜଣେ ଯୁକ୍ତ ଦୁଇ ଛାତ୍ରୀ । ସିନିୟର ଛାତ୍ରମାନେ ଶ୍ରେଣୀଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଛନ୍ତି କିଛି ଛାତ୍ରୀ ।

ଅଭିଯୋଗ ପାଇବା ପରେ ଆଣ୍ଟି ରାଗିଂ କମିଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ। ଦୁଇ ମାସ ପୂର୍ବରୁ କିଛି ଛାତ୍ରୀଙ୍କ ଠାରୁ ଏଭଳି ମୌଖିକ ଅଭିଯୋଗ ପାଇବା ପରେ ୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ୧୦ ଦିନ ପାଇଁ ୬ ଜଣ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ନିଲମ୍ବନ କରାଯାଇଥିଲା। ଏହା ପରେ ମଧ୍ୟ କିଛି ଛାତ୍ର ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ସେମାନଙ୍କ ବିରୋଧରେ ପୋଲିସରେ ମଧ୍ୟ ଅଭିଯୋଗ କରିଥିଲେ କଲେଜ କର୍ତ୍ତୃପକ୍ଷ। ତେବେ ଏହା କଲେଜର ପ୍ରସଙ୍ଗ ଓ କଲେଜ କର୍ତ୍ତୃପକ୍ଷ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଥିଲେ ପୋଲିସ।

ପରେ କଲେଜ କର୍ତ୍ତୃପକ୍ଷ ସଂପୃକ୍ତ ୯ଜଣ ଛାତ୍ରଙ୍କ ଅଭିଭାବକଙ୍କୁ କଲେଜ ଆସିବା ପାଇଁ କୁହାଯାଇଥିଲେ ସୁଦ୍ଧା କେହି ଆସିନଥିବା ଜଣାପଡିଛି। ଗତ ମଙ୍ଗଳବାର ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କୁ ରାଗିଂ ମାମଲାରେ ୫ଜଣ ଛାତ୍ରଙ୍କୁ ଜେଲଦଣ୍ଡ ହୋଇଥିବା ବେଳେ ୧୨ଜଣଙ୍କୁ କଲେଜରୁ ବହିଷ୍କାର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.