ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ, ବିଧିବଦ୍ଧ ଭାବେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଜୟପୁରକୁ ଉଡିଲା ବିମାନ । ପୂରଣ ହେଲା ଦୀର୍ଘ ଦିନର ଆଶା । ବିମାନ ଚଳାଚଳକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଟି ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ଵାନ ଏୟାର ବିମାନର ଯାତ୍ରା ଆରମ୍ଭ । ଇଣ୍ଡିଆ ଓ୍ଵାନ ଏୟାର ସପ୍ତାହକୁ ୬ ଦିନ ଉଡାଣ ଭରିବ। ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟା ୩୫ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ । ଏହା ଅପରାହ୍ନ ଗୋଟାଏ ୨୦ ମିନିଟରେ ଜୟପୁରରେ ପହଞ୍ଚିବ । ସେହିପରି ଜୟପୁରରୁ ଗୋଟାଏ ୪୦ରେ ବିମାନ ବାହାରି ବିଶାଖାପାଟଣାରେ ୨ଟା ୩୦ରେ ପହଞ୍ଚିବ ।
ବିଶାଖାପାଟଣାରୁ ଅପରାହ୍ନ ୩ଟାରେ ବାହାରି ଜୟପୁରରେ ୩ଟା ୫୦ରେ ପହଞ୍ଚିବ ବିମାନ । ସେହିପରି ଜୟପୁରରୁ ଅପରାହ୍ନ ୪ଟା ୫ରେ ବିମାନ ଉଡ଼ାଣ ଭରିବ । ଭୁବନେଶ୍ୱରରେ ସନ୍ଧ୍ୟା ୫ଟା ୫୦ରେ ପହଞ୍ଚିବ । ପ୍ରାରମ୍ଭିକ ଭାବେ ଟିକେଟର ମୂଲ୍ୟ ରହିଛି ୯୯୯ ଟଙ୍କା । ଜୟପୁର ବିମାନ ବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ପାଇଁ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା ।
ଆଗାମୀ ଦିନରେ ଉଡାଣ ସ୍କିମ୍ ଅଧିନରେ କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦରରୁ ବିମାନ ଚଳାଚଳ ପାଇଁ ରୁଟ୍ ମିଳିଛି। ଏଥିଲାଗି DGCA ର ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତ୍କେଲା ଓ ଉତ୍କେଲାରୁ ରାୟପୁର ଯାଏ ବିମାନ ଚଳଚାଳ କରିବ। ନୂଆବର୍ଷରୁ ଭୁବନେଶ୍ୱରରୁ ଗୁଆହାଟିକୁ ବିମାନ ଚଳାଚଳ କରିବା ନେଇ ସୂଚନା ମିଳିଛି। ଏହି ବିମାନ ସପ୍ତାହରେ ୪ଦିନ ଉଡାଣ କରିବ।