ଅଟୋରେ ପଡିଯାଇଥିବା ମହିଳାଙ୍କ ସୁନା ଚେନକୁ ଫେରାଇଲେ ଡ୍ରାଇଭର, ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସା

ବ୍ରହ୍ମପୁର(କେନ୍ୟୁଜ୍): ପୁଣି ମାନବିକତା ଦେଖାଇଛନ୍ତି ବ୍ରହ୍ମପୁର ସହରର ଜଣେ ଅଟୋ ଚାଳକ । ଫେରାଇଲେ ସୁନା ହାର । ସୂଚନା ଅନୁଯାୟୀ, ବ୍ରହ୍ମପୁର ଉପକଣ୍ଠ ଗଣ୍ଡଳା ଅଞ୍ଚଳରେ ଜଣେ ମିହଳା ଅଟୋରେ ଯାତ୍ରା କରିବା ସମୟରେ ତାଙ୍କ ସୁନା ହାର ଅଟୋରେ ପଡିଯାଇଥିବା ବେଳେ ବହୁ ଖୋଜା ଖୋଜି କରି ପାଇନଥିଲେ । ପରେ ସୁନା ଚେନ ହଜିବାର ଦୁଇ ଦିନ ପରେ ଅଟୋ ଚାଳକ ଗାଡି ସଫା କରିବା ସମୟରେ ଗାଡିରେ ସୁନା ହାର ଥିବା ଦେଖିବାକୁ ପାଇଥିଲେ । ତେବେ ଗତକାଲି ଲକ୍ଷାଧିକ ଟଙ୍କାର ସୁନା ହାରଟିକୁ ପୋଲିସ ଉପସ୍ଥିତିରେ ମହିଳା ଜଣଙ୍କୁ ହସ୍ତାନ୍ତର କରିଛନ୍ତି । ଆଉ ଅଟୋ ଚାଳକଙ୍କ ଏଭଳି ମହାନତା ଓ ସାଧୁତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି ।

ବ୍ରହ୍ମପୁର ଉପକଣ୍ଠ ଗଣ୍ଡାଳା ଗ୍ରାମର ନର୍ମଦା ବେହେରା ନାମକ ଜଣେ ମହିଳା ବୁଧବାର ଦିନ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ଏକ ଅଟୋ ଭଡ଼ା ସୂତ୍ରରେ ନେଇ ଗୋପାଳପୁର ବେଳାଭୂମି ଓ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଉଦ୍ୟାନ ଭ୍ରମଣ କରିଥିଲେ । ତେବେ ଅଟୋରେ ଯାତ୍ରା ବେଳେ ନର୍ମଦା ନିଜ ବ୍ଯାଗରେ ପିନ୍ଧିଥିବା ହାରଟିକୁ ଖୋଲି ନିଜ ବ୍ୟାଗ ଭିତରେ ରଖିଥିଲେ । ତେବେ କୌଣସି କାରଣ ବଶତଃ ସୁନା ହାରଟି ବ୍ୟାଗରୁ ଖସି ଅଟୋରେ ପଡିଯାଇଥିଲା । ତେବେ ନର୍ମଦା ଘରକୁ ଯାଇ ପର ଦିନ ସୁନା ହାରଟିକୁ ଖୋଜିବା ବେଳେ ପାଇନଥିଲେ ।

ତେବେ ଗୋପାଳପୁର ଆଦି ସ୍ଥାନକୁ ଯାଇ ବହୁ ଖୋଜା ଖୋଜି କରିବା ପରେ ଭଡ଼ା ସୂତ୍ରରେ ଯାଇଥିବା ଅଟୋ ଚାଳକ ପଙ୍କଜଙ୍କୁ ମଧ୍ୟ ପଚାରିଥିଲେ । ତେବେ କେଉଁଠାରେ ମଧ୍ୟ ନିଜ ସୁନା ହାର ପାଇନଥିବା ବେଳେ ଦୁଃଖରେ ଭାଙ୍ଗି ପଡିଥିଲେ । ତେବେ ହଠାତ୍ ଗତକାଲି ପଙ୍କଜଙ୍କ ଫୋନ କଲ ଆସିଲା ସୁନା ହାରଟି ଅଟୋର ଭିତରେ ପଡିଥିଲା ଓ ଆସିକି ନେବାକୁ ଫୋନରେ କହିଥିଲେ । ଏନେଇ ଖୁସିରେ ବିଭୋର ହୋଇଥିଲେ ନର୍ମଦା ।  ବ୍ରହ୍ମପୁର ନୂଆଁ ବସଷ୍ଟାଣ୍ଡ ଅଟୋ ସଂଘର କର୍ମକର୍ତ୍ତମା ଓ ନୂଆ ବସ ଷ୍ଟାଣ୍ଡ ଫାଣ୍ଡି ଅଧିକାରୀ ନାରାୟଣ ସ୍ୱାଇଁଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଅଟୋ ଚାଳକ ଏଭଳି  ମଣିଷପଣିଆ କାର୍ଯ୍ୟ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି । ସେପଟେ ପଙ୍କଜଙ୍କ ଏଭଳି ସଚ୍ଚୋଟପଣିଆକୁ ନେଇ ଅନ୍ୟ ଅଟୋ ଚାଳକମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.