ଏଠାରେ ଫେଲ୍ ମାରିଛି ବସୁଧା ଯୋଜନା : ଗାଁଠୁ ୫୦୦ମିଟର ଦୂର ଗହିର ମଝିରେ ଥିବା ନଳକୂପରୁ ପାଣି ଆଣୁଛନ୍ତି ଲୋକେ

ବର୍ଷ ବର୍ଷ ଧରି ପିଇବା ପାଣି ଟୋପେ ପାଇଁ ଅସ୍ତରଙ୍ଗ ସମୁଦ୍ର କୂଳିଆ ବାସିନ୍ଦା ସଂଘର୍ଷ କରୁଥିବାବେଳେ ନଟରା ଗାଁ ଲୋକଙ୍କ ପାଣି ପାଇଁ ଭୋଟ ବର୍ଜନ ନିଷ୍ପତି ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ  ନଜର ।

କାକଟପୁର(କେନ୍ୟୁଜ): ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ଆରମ୍ଭ ହେଲା ବସୁଧା ଯୋଜନା । ହେଲେ ଏଠାରେ କିନ୍ତୁ ଲୋକେ ହନ୍ତସନ୍ତ ହୋଇ ପିଇବା ପାଣି ପାଇଁ ଗରା ବାଲଟି ଧରି ବହୁତ ବାଟ ଯାଉଛନ୍ତି । ଅସ୍ତରଙ୍ଗ ବ୍ଲକ କୋରଣା ପଂଚାୟତର ଏହେଉଛି ନଟରା ଗାଁ । ଏହି ଗାଁରେ ୪୦ ଘରର ତିନି ଶହ ଲୋକେ ବସବାସ କରୁଛନ୍ତି । ଗାଁ ର ଦକ୍ଷିଣ ଦିଗରେ ବଙ୍ଗୋପସାଗର ମାତ୍ର ଶହେ ମିଟର ବାଟ । ଗାଁର ସମସ୍ତ ନଳକୂପରୁ ଆଇରନ ଯୁକ୍ତ ହଳଦିଆ ପାଣି ବାହାରୁଛି । ଯାହା କି ପିଇବା ଉପଯୋଗୀ ନୁହେ ।

ତେଣୁ ମହିଳା ପୁରୁଷ ସଭିଏଁ ପିଇବା ପାଣି ପାଇଁ ଗାଁଠୁ ୫୦୦ ମିଟର ଦୂରରେ ଏକ ଗହିର ମଝିରେ ଏକ ନଳକୂପରୁ ଦିନକୁ ଦୁଇ ଥର ଗରା ବାଲଟି ଆଉ ବୋତଲ ଧରି ପାଣି ଆଣୁଛନ୍ତି । ଆଉ ତାହାକୁ ପିଇ ଜୀବନ ବଞ୍ଚାଊଛନ୍ତି । ଖରା ବର୍ଷା କୁ ସହି ଏହି ନଟରା ଗାଁ ଲୋକେ କଷ୍ଟ କରି କେଉଁ ଆବାହନ କାଳରୁ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ତାହା ପାଣି ଆଣିବାକୁ ଯାଉଥିବା ମହିଳାଙ୍କ କଥାରୁ ସ୍ପଷ୍ଟ ବାରିହେଉପଡୁଛି ।

ଅସ୍ତରଙ୍ଗ ବ୍ଲକ କୋରଣା ପଞ୍ଚାୟତକୁ ବସୁଧା ଯୋଜନାରେ ସାମିଲ ହୋଇ ଦୁଇଟି ଓଭର ହେଡ ଟାଙ୍କି ନିର୍ମାଣ ସରିଛି । ନଟରା ଗାଁ ଠୁ ଏକ କିଲୋମିଟର ଦୂର ବଡ଼ଓଲା ଯାଏ ପାଇପି ଲାଇନ ସଂଯୋଗ ହୋଇ ପିଇବା ପାଣି ଯୋଗାଇ ଦିଆଯାଉଛି । ଆଉ ସେଠାରୁ ପାଣି ନେଇ ବଡ଼ଓଲା ଗାଁ ଲୋକେ ଉପକୃତ ହେବା ସହ ଗାଁ ରାସ୍ତାରେ ପାଣି ପାଇପ ଫାଟି ପାଣି ନଷ୍ଟ ହେଉଛି କିନ୍ତୁ ପଡୋଶୀ ଗାଁ ନଟରାରେ ପିଇବା ପାଣି ପାଇଁ ଲୋକେ ସଂଘର୍ଷ କରୁଛନ୍ତି ।

water

ତେଣୁ ଭୋଟ ପରେ ଭୋଟ ଆସୁଛି ନେତା ମାନେ ପାଣି ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଦେଉଛନ୍ତି କିନ୍ତୁ ସମସ୍ୟାର କିଛି ସମାଧାନ ହେଉନି । ତେଣୁ ନଟରା ଗାଁର ଚାଳିଶ ପରିବାର ଚଳିତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି । ସେମାନଙ୍କର ଆଜି ଗୋଟିଏ ନାରା ପାଣି ନାହିଁ ତ ଭୋଟ ନାହିଁ । ଲୋକଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଆମେ କାକଟପୁର ବିଧାୟକ ତଥା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ କହିଛନ୍ତି ନଟରା ଗାଁ ଲୋକଙ୍କ ପିଇବା ପାଣି ସମସ୍ଯା ରହିଛି । ବସୁଧା ଯୋଜନା ରେ ନୂଆ ପାଇପି ସଂଯୋଗ କରି ତୁରନ୍ତ ପିଇବା ପାଣି ଦିଆଯିବ । ହେଲେ ଲୋକଙ୍କ ଭୋଟ ବର୍ଜନ ନିଷ୍ପତି ବାବଦରେ ତାଙ୍କ ପାଖରେ ଖବର ନାହିଁ ବୋଲି ସେ  କହିଛନ୍ତି ।

ବର୍ଷ ବର୍ଷ ଧରି ପିଇବା ପାଣି ଟୋପେ ପାଇଁ ଅସ୍ତରଙ୍ଗ ସମୁଦ୍ର କୂଳିଆ ବାସିନ୍ଦା ସଂଘର୍ଷ କରୁଥିବାବେଳେ ନଟରା ଗାଁ ଲୋକଙ୍କ ପାଣି ପାଇଁ ଭୋଟ ବର୍ଜନ ନିଷ୍ପତି ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ  ନଜର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.