ଖାଦ୍ୟ ଅନ୍ୱେଷଣରେ ବାଡ଼ି ଘର ବୁଲୁଛି ଭାଲୁ, ଯାହାର ଭିଡିଓ ସିସିଟିଭି ରେ କଏଦ୍‌

ଉମରକୋଟ : ସଞ୍ଜ ହେଲେ ଗାଁରେ ପଡ଼ୁଛି ତାଟି କବାଟ । ଭୟରେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି ଲୋକେ । ପୂରା ଗାଁରେ ପଡ଼ିଛି ଚହଳ । ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଗାଁ ଲୋକେ । ଆପଣ ଭାବୁଥିବେ କଣ ଏମିତି ଘଟିଛି ଯେ, ଯେଉଁଥିପାଇଁ ଗାଁ ଲୋକେ ଭୟରେ ଏପରି ଥରହର ହେଉଛନ୍ତି । ତେବେ ଆପଣଙ୍କୁ କହି ରଖୁଛୁ ଶୁଣନ୍ତୁ ଆଜ୍ଞା, ଏ ଭୟ କେବଳ ଭାଲୁ ପାଇଁ । କାରଣ ସଞ୍ଜ ନଇଁଲେ କୋଉଠି କେଜାଣି ଏ ଛପି ରହିଛି ବାଡ଼ି ଘରେ ଆସି ବୁଲୁଛି ।

ଏଇ ଦେଖୁ ନାହାଁନ୍ତି ଭାଲୁଟି କିଭଳି ଦିଆଲି ଉପରୁ ଡେଇଁ ମଣିଷ ଯିବା ଆସିବା କରୁଥିବା ରାସ୍ତାରେ ବୁଲୁଛି । ଖାଲି ସେତିକି ନୁହେଁ ଖାଦ୍ୟ ଅନେ୍ଵଷଣରେ ବାଡ଼ି ଘର ବୁଲୁଛି ଯାହାର ଭିଡିଓ ଘର ବାହାରେ ଲଗାଯାଇଥିବା ସିସିଟିଭିରେ କଏଦ ହୋଇଛି । ଆପଣ କୁହନ୍ତୁ ନିଜ ଆଖିରେ ଏହି ଦୃଶ୍ୟ ଦେଖିବା ପରେ କଣ ଆପଣ ଘରୁ ବାହାରକୁ ବାହାରିବା ପାଇଁ ଇଚ୍ଛା କରିବେ । ତେବେ ଏଭଳି ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଭିତରେ ଦେଖିବାକୁ ମିଳିଛି । ଜଙ୍ଗଲ ହ୍ରାସ ଏହାର ପ୍ରମୁଖ କାରଣ ତେଣୁ ଖାଦ୍ୟ ଅନ୍ୱେଷଣରେ ସହର ଭିତରକୁ ପଶି ଆସିଥିବା ନେଇ ଅଂଚଳବାସୀମାନେ କହିଛନ୍ତି । ସକାଳ ୫ଟା ସମୟରେ ଉମରକୋଟ ସହର ସ୍ଥିତ ଡଙ୍ଗରି ଗୁଡା କଲୋନୀରେ ବୁଲୁଥିବା ଦେଖିବାକୁ ମିଳିଛି । ତେଣୁ ଭାଲୁ ଭୟରେ ଆତଙ୍କିତ ହୋଇ ଲୋକେ ଘରୁ ବାହାରୁନାହାନ୍ତି । ଉମରକୋଟ ବନ ବିଭାଗ ଖବର ପାଇ ମଧ୍ୟ ଭାଲୁକୁ କିପରି ଘଉଡ଼େଇବ ସେଥିପାଇଁ କୌଣସି ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଲୋକେ ଦାବି କରୁଛନ୍ତି ବନ ବିଭାଗ ଭାଲୁକୁ ଶୀଘ୍ର ଗାଁ ରୁ ବାହାର କରି ଜଙ୍ଗଲ ମୁହାଁ କରନ୍ତୁ । ନଚେତ୍‌ ଅକାଳରେ ଅନେକଙ୍କ ଜୀବନ ଯାଇପାରେ ବୋଲି ଗ୍ରାମବାସୀ କହିଛନ୍ତି ।

ସେପଟେ ଗତକାଲି ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଭତରାସିଉନିରେ ଗଛରେ ଚଢି ଭାଲୁ ପଣସ ଖାଉଥିବାର ଖବର ସାମ୍ନାକୁ ଆସିଥିଲା । ଏହା ଦେଖି ଭୟଭୀତ ହୋଇଯାଇଥିଲେ ଗ୍ରାମବାସୀ ଆଉ ବନ ବିଭାଗକୁ ଖବର ଦେଇଥିଲେ । କାହିଁକି ନା କିଛି ଦିନର ବ୍ୟବଧାନ ପରେ ପୁଣି ଭତରା ସିଉନି ଗାଁରେ ଆତଙ୍କ ଖେଳାଇଛି ଭାଲୁ। ଯେଉଁଥିପାଇଁ ଭୟରେ ଗ୍ରାମବାସୀ ନିଜ ବିଲ ବାଡ଼ିକୁ ଯାଇ ପାରୁ ନାହାନ୍ତି । ଗତ କିଛି ମାସ ତଳେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଏବଂ ପରେ ନରହନ୍ତା ଭାଲୁକୁ ପିଟି ପିଟି ମାରିଦେଇଥିଲେ ଲୋକେ, ଆଉ ଏବେ ପୁଣି କିଛି ଦିନ ହେବ ଭାଲୁ ଗାଁରେ ଘର ଘର ବୁଲୁଛି । ଭାଲୁ ବୁଲୁଥିବାର ଖବର ଗ୍ରାମବାସୀ ବନ ବିଭାଗ କୁ ଜଣେଇଥିବା ସୂଚନା ମିଳିଛି, ଏପଟେ ବନ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ । ଭୟରେ ରହିଥିବା ଗାଁ ଲୋକେ ଏନେଇ ତୁରନ୍ତ ସମାଧାନ ଚାହିଁଛନ୍ତି । ଭାଲୁକୁ ଜଙ୍ଗଲମୁହାଁ କରନ୍ତୁ ଏହାସହ ଆମକୁ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ଲୋକେ କହିଛନ୍ତି ।

Leave A Reply

Your email address will not be published.