ରୁଷ୍‌ ନଦୀରେ ବୁଡ଼ି ଯାଇଥିଲେ ୪ ଭାରତୀୟ ଛାତ୍ରଛାତ୍ରୀ, ଉଦ୍ଧାର ସମସ୍ତ ମୃତଦେହ ଅଣାଯାଉଛି ମୁମ୍ବାଇ

ରୁଷ୍‌ର ଭୋଲକୋଭ୍‌ ନଦୀରେ ବୁଡ଼ିଯାଇଥିବା ସମସ୍ତ ୪ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ସମସ୍ତେ ମହାରାଷ୍ଟ୍ରର ବାସିନ୍ଦା ଥିଲେ । ମହାରାଷ୍ଟ୍ରର ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଜଲଗାଓଁ କଲେକ୍ଟର ଆୟୁଷ ପ୍ରସାଦ କହିଛନ୍ତି ଯେ ଜୁନ୍ ୪ରେ ରୁଷ୍‌ର ଏକ ନଦୀରେ ୪ ଜଣ ଛାତ୍ରଛାତ୍ରୀ ବୁଡ଼ି ଯାଇଥିଲେ । ଘଟଣାର ଦୁଇ ଦିନ ପରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା । ଆଜି ସକାଳେ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ରୁଷ୍‌ର ଅଧିକାରୀମାନେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ମୃତଦେହକୁ ମୁମ୍ବାଇ ଅଣାଯାଉଛି । ପରେ ସେମାନଙ୍କୁ ଜଲଗାଓଁରେ ଥିବା ସେମାନଙ୍କ ପୈତୃକ ସ୍ଥାନକୁ ନିଆଯିବ । ଜଲଗାଓଁ କଲେକ୍ଟରଙ୍କ ସୂଚନା ଅନୁସାରେ, ମୃତ ଛାତ୍ରଛାତ୍ରୀ ହେଲେ ହର୍ଷଲ ଅନନ୍ତରାଓ ଦେସାଲେ, ଜିଶାନ ଅଶପକ୍ ପିଞ୍ଜାରୀ, ଜିୟା ଫିରୋଜ ପିଞ୍ଜାରୀ ଓ ମଲିକ ଗୁଲାମଗାଉସ୍ ମହମ୍ମଦ ୟାକୁବ ।

ଅନ୍ୟ ଜଣେ ଛାତ୍ରୀ ନିଶା ଭୂପେଶ ସୋନାୱାନଙ୍କୁ ଉଦ୍ଧାର କରି ନିଆଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ବୟସ ୧୮ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ଏହି ଛାତ୍ରଛାତ୍ରୀମାନେ ରୁଷ୍‌ର ୟାରୋସ୍ଲାଭ୍-ଦି-ୱାଇଜ୍ ନୋଭଗୋରୋଡ୍ ଷ୍ଟେଟ୍ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିଲେ ।

ଘଟଣା ସମ୍ପର୍କରେ ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଭୋଲକୋଭ୍‌ ନଦୀ କୂଳରେ ବୁଲୁଥିଲେ । ଏହି ସମୟରେ କୌଣସି ମତେ ସେମାନେ ପାଣିରେ ପଡ଼ିଯାଇଥିଲେ । ଜିଶାନ ପିଞ୍ଜାରୀଙ୍କ ପରିବାର ସଦସ୍ୟ କହିଛନ୍ତି, ଜିଶାନ ବାପା, ମାଆଙ୍କ ସହ ଭିଡିଓ କଲରେ ଥିଲେ । ଏହି ସମୟରେ ସେ ଏବଂ ଅନ୍ୟ ତିନିଜଣ ସାଙ୍ଗ ନଦୀରେ ବୁଡ଼ି ଯାଇଥିଲେ ।

ପରିବାରର କହିବା ହେଲା, ଯେତେବେଳେ ସେମାନେ ନଦୀକୁ ଯାଇଥିଲେ, ଜିଶାନ ଭିଡିଓ କଲ୍‌ରେ ଥିଲେ । ତାଙ୍କ ବାପା ଏବଂ ପରିବାରର ଅନ୍ୟମାନେ ସେମାନଙ୍କୁ ପାଣିରୁ ବାହାରି ଆସିବାକୁ କହିଥିଲେ । ହେଲେ ସେହି ସମୟରେ ହଠାତ୍‌ ଏକ ଉଚ୍ଚ ଲହରୀ ମାଡ଼ି ଆସିଥିଲା, ଯେଉଁଥିରେ ଜିଶାନଙ୍କ ସମେତ ସମସ୍ତେ ଭାସି ଯାଇଥିଲେ । ଜିଶାନ ଓ ଜିୟା ଦୁଇ ଜଣ ଭାଇଭଉଣୀ ଥିଲେ ।

Leave A Reply

Your email address will not be published.