ରସଗୋଲା କାହାର ? ବଙ୍ଗଳାର ନା ଓଡ଼ିଶାର, ଏପ୍ରିଲରେ ଆସିବ ଚୂଡାନ୍ତ ରାୟ

ଭୁବନେଶ୍ୱର : ଏପ୍ରିଲ ମାସରେ ଆସିପାରେ ରସଗୋଲା ରାୟ। ଜଣା ପଡିବ ଏହା ଓଡ଼ିଶାର ନା ପଶ୍ଚିମବଙ୍ଗର। କିଛି ଦିନ ତଳେ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ବୈଠକ ବସିଥିଲା। ଏଥିରେ ଓଡ଼ିଶାକୁ ପ୍ରମାଣ ଦେବାକୁ ୨ ମାସ ସମୟ ଦିଆଯାଇଛି। ନଭେମ୍ବର ୨୦୧୭ରେ ପଶ୍ଚିମବଙ୍ଗ ରସଗୋଲାକୁ ମିଳିଥିଲା GI ଟ୍ୟାଗ୍। ଏହାକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲା ଓଡ଼ିଶା। ଓଡ଼ିଶାର ଦାବି ଥିଲା ଏହାକୁ ଜଗନ୍ନାଥ ରସଗୋଲା ମାନ୍ୟତା ଦିଆଯାଉ। ବର୍ତ୍ତମାନ ଯଦି ଦୁଇ ମାସ ସମୟ ଭିତରେ ଓଡ଼ିଶା ଆବଶ୍ୟକ ପ୍ରମାଣ ଯୋଗାଇ ନ ପାରିବ ତେବେ ଆବେଦନ ଖାରଜ ହୋଇଯିବ।
ଦ ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟ ଏବଂ ଓଡିଶା ସ୍ମଲ ଇଣ୍ଡଷ୍ଟ୍ରି କର୍ପୋରେସନ ଗତ ବର୍ଷ ଜାନୁଆରୀ ମାସରେ ବାଂଲାର ରସଗୋଲାକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲା। ବର୍ତ୍ତମାନ ଏଓ ଅଧିକାରୀ ଜାଣିବାକୁ ଚାହୁଁଛନ୍ତି, ରସୋଗଲା ମିଠାର ମାନ କେମିତି ଧାର୍ୟ୍ୟ ହେଉଛି, ଯାଞ୍ଚ କେମିତି ହେଉଛି ଏବଂ ଜିଆଇ ଟ୍ୟାଗ ପାଇଁ କଣ କରାଯାଇ ପାରିବ। ଏହାସହ ରସଗୋଲାର ରାସାୟନିକ ସମିଶ୍ରଣ କଣ? ଏବଂ କଣ ରହିଛି ପୋଷକ ତତ୍ତ୍ୱ? ସେ ବିଷୟରେ ତଥ୍ୟ ମଗାଯାଇଛି। ରସଗୋଲା ରଖିବାକୁ କେତେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ଏବଂ ଓଡ଼ିଶା ରସଗୋଲାର ସ୍ୱତନ୍ତ୍ରତା କଣ ଜାଣିବାକୁ ଚାହିଛନ୍ତି ଜିଆଇ କର୍ତ୍ତୃପକ୍ଷ ।