ବିଜେପିର ବିଫଳତା ନେଇ ବର୍ଷିଲା ବିଜେଡି, ଅଧାପନ୍ତରିଆ ହୋଇ ପଡିଛି ଉଜ୍ଜ୍ୱଳା, ରାଜପଥ ଭଳି କେନ୍ଦ୍ର ଯୋଜନା

ଦରଦାମ ବୃଦ୍ଧି ସହ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ । ବିଜେଡି ଓଡ଼ିଶାର ବିକାଶ ଓ ପ୍ରଗତି ପାଇଁ କାମ କରୁଛି। କିନ୍ତୁ ବିଜେପି ଓଡିଶାକୁ ପଛକୁ ଟାଣିବାକୁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ଭୁବନେଶ୍ୱର (କେନ୍ୟୁଜ): ଦରଦାମ ବୃଦ୍ଧି ସହ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ । ଉଜ୍ଜ୍ୱଳା ଯୋଜନା, ଜାତୀୟ ରାଜପଥ ଏବଂ ଟେଲିକମ ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ବିଜେଡି। ବିଜେଡି ଓଡ଼ିଶାର ବିକାଶ ଓ ପ୍ରଗତି ପାଇଁ କାମ କରୁଛି। କିନ୍ତୁ ବିଜେପି ଓଡିଶାକୁ ପଛକୁ ଟାଣିବାକୁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରୁଛି। ଉଜ୍ଜ୍ବଳା ଯୋଜନା ଏକ ଅନ୍ଧାରୀ ଯୋଜନାରେ ପରିଣତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଦଳ ପକ୍ଷରୁ କୁହାଯାଇଛି, ‘ଏଲପିଜିର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଯାହା ଗରିବ ଲୋକଙ୍କ ପାଇଁ ଉପହାସ ପାଲଟିଛି । ପୂର୍ବରୁ ୪ ଶହ ଟଙ୍କା ଏଲପିଜି ଗ୍ୟାସ ମିଳୁଥିଲା, ଏବେ ଦର ୧୧ ଶହ ଟଙ୍କା ପାର ହେଲାଣି । ଦର ବୃଦ୍ଧି ଯୋଗୁଁ ଗ୍ୟାସ ବ୍ୟବହାର କମିବାରେ ଲାଗିଛି ।ଏହାର ପ୍ରତିବାଦରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରୁଛି ବିଜେଡି । ହେଲେ ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ରର ବିଜେପି ସରକାର ବିଫଳ ହୋଇଛି । ସେହିପରି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ ଉଜ୍ଜ୍ୱଳା ଯୋଜନାର ଡାଟା ଗାଏବ କରି ଦିଆଯାଇଥିବା କହିଛନ୍ତି।

ଏହାସହ ଟେଲିକମ ଓ ବ୍ୟାଙ୍କିଙ୍ଗ୍‌ ସେବାର ଉନ୍ନତି ପାଇଁ ସଂସଦରେ ଦାବି ଉଠାଇଛି ବିଜେଡି । ୬ ଲକ୍ଷ ଏସଏଚଜି ଓ ୭୦ ଲକ୍ଷ ମାଆ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ପ୍ରଭାବିତ ହୋଇଛନ୍ତି । ସବୁଠି ବ୍ୟାଙ୍କ ସୁବିଧା ନଥିବାରୁ ଋଣ ନେବାରେ ହଇରାଣ ହେଉଛନ୍ତି ମହିଳା । ତେବେ ରାଜ୍ୟ ବିଜେପି ନେତା ଏସଏଚଜି ମହିଳାଙ୍କୁ ବିରୋଧ କରୁଛି ।’

ସେହିପରି, ରାଜପଥକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ‘ରାଜ୍ୟରେ ଜାତୀୟ ରାଜପଥ କଥା ନକହିବା ଭଲ । ୫୫ ନମ୍ବର କଟକ-ସମ୍ବଲପୁର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ୬ ବର୍ଷ ହେଲାଣି ସରୁନି ଏହି ଜାତୀୟ ରାଜପଥର ମରାମତି । ଫଳରେ ୬ ବର୍ଷରେ ଗଲାଣି ୬୦୦ ଜୀବନ । କେନ୍ଦ୍ର ଏହାର ମରାମତି ପ୍ରତି ଧ୍ୟାନ ଦେଉ ନଥିବା ବେଳେ ଚୁପ୍ ବସିଛନ୍ତି ରାଜ୍ୟ ବିଜେପି ନେତା ।

ନିକଟରେ ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି। ଜାତୀୟ ରାଜପଥ ୬୫ରେ ୬୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଓଡିଶା ପ୍ରତି କେନ୍ଦ୍ର ବିଜେପି ସରକାରର ଏହା ଅବହେଳାର ନମୂନା ବୋଲି ସେ କହିଛନ୍ତି। ରାଜ୍ୟର ବିକାଶକୁ ବିଜେପି ନେତାମାନେ ବିରୋଧ କରୁଛନ୍ତି। ସଂସଦରେ ବିଜେଡି ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଉ ଥିବା ବେଳେ ବିଜେପି ନେତାମାନେ ଭିନ୍ନ ଏକ ମୁଦ୍ରାରେ ଅଛନ୍ତି ବୋଲି କହିଛନ୍ତି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.