ତହସିଲଦାର, ବିଡିଓ, ଆଇଆଇସିଙ୍କୁ ଦିଆଯାଉଛି ଧମକ : ସସ୍ମିତ ପାତ୍ର

ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସରଙ୍କୁ ବିଜେପି ନେତା ଧମକାଉଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେଡି । ପ୍ରେସମିଟରେ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ତହସିଲଦାର, ବିଡିଓ, ଆଇଆଇସିଙ୍କୁ ଧମକ ଦିଆଯାଉଛି ।

ଭୁବନେଶ୍ୱର (କେନ୍ୟୁଜ୍‌): ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସରଙ୍କୁ ବିଜେପି ନେତା ଧମକାଉଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେଡି । ପ୍ରେସମିଟରେ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ତହସିଲଦାର, ବିଡିଓ, ଆଇଆଇସିଙ୍କୁ ଧମକ ଦିଆଯାଉଛି । ତାଙ୍କ ପାଇଁ କାମ ନକଲେ ନିର୍ବାଚନ କମିଶନଙ୍କୁ କହି ବଦଳି କରିଦେବାକୁ ଫୋନରେ ଧମକ ଦେଉଛନ୍ତି । ସରକାରୀ ଅଧିକାରୀଙ୍କୁ ବିଜେପି ନେତା ଇଲେକସନ୍ କମିଶନ ନାଁକୁ ବ୍ୟବହାର କରି ଏମିତି ଧମକ ଚମକ ଦେଉଛନ୍ତି ।

ନିର୍ବାଚନ ହାରିବା ଜାଣି ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ଓଡ଼ିଶା ବିଜେପିର ଅଭ୍ୟାସ । ୨୦୧୯ ନିର୍ବାଚନ ଓ ଗତ ଉପନିର୍ବାଚନରେ ହାରିବ ଜାଣି ସରକାରୀ ଅଧିକାରୀଙ୍କୁ ବିରୋଧ କରିଥିଲେ । ଯେତେବେଳେ ହତାଶ ନିରାଶ ହୁଅନ୍ତି ସେତେବେଳେ ଓଡ଼ିଶା ବିଜେପି ଏଭଳି ପନ୍ଥା ଆପାଣାଇଥାଏ । ଏନେଇ ଓଡ଼ିଶା ବିଜେପି ବିରୋଧରେ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେଡି ।

ସେପଟେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଡି.ଏସ. କୁଟ୍ଟେଙ୍କ ନାଁରେ ବିଜେପିର ସାଙ୍ଘାତିକ ଅଭିଯୋଗ ।

କୁଟ୍ଟେ ପୂର୍ବରୁ ସମସ୍ତ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ଥିଲେ । କିନ୍ତୁ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ଦିଲ୍ଲୀରୁ ଚିଠି ଲେଖିଛନ୍ତି ଯେ କୌଣସି ସରକାରୀ ଅଧିକାରୀ ଦଳୀୟ ନିର୍ବାଚନ କାମରେ ସଂପୃକ୍ତ ହୋଇପାରିବେ ନାହିଁ । କିନ୍ତୁ କୁଟ୍ଟେ ନିର୍ବାଚନରେ ବିଜେଡିର ଟଙ୍କା ପରିବହନ କରିବା ଓ ବାଣ୍ଟିବା ପାଇଁ ଆଇଆଇସି ଓ ଏସପି ମାନଙ୍କୁ ଧମକାଉଥିବା ଅଭିଯୋଗ କରିଛି ବିଜେପି ।
ବିରୋଧୀ ଦଳଙ୍କ ଏତଲା ପୋଲିସ ରଖୁନି କିନ୍ତୁ ବିଜେଡି ନେତାଙ୍କ ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରିଛି ବିଜେପି । ଏହାସହ ରାଜନୈତିକ ଲୋକ ମାନଙ୍କୁ ଫୋନ କରି କୁଟ୍ଟେ ଦଳୀୟ ଆଧାରରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ଦଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.