ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁ ଘଟଣାକୁ ନେଇ ତିନି ଦିନ ଆନ୍ଦୋଳନ କରିବ ବିଜେପି

ପ୍ରଥମେ ଷ୍ଟୋରୀ ପ୍ରସ୍ତୁତ ହୋଇ ଚଳଚିତ୍ର ନିର୍ମାଣ କରାଯିବା ଭଳି ରାଜ୍ୟରେ ମଧ୍ୟ ପ୍ରଥମେ ଷ୍ଟୋରୀ ପ୍ରସ୍ତୁତ କରାଯାଇ ପରେ କ୍ରାଇମ କରାଯାଉଛି । ଏହା ଅତ୍ୟନ୍ତ ବିପଦଜନକ:ଭୃଗୁ ବକ୍ସିପାତ୍ର

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ  ସମୀର ମହାନ୍ତି ବାରମ୍ବାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ “ରାଜ୍ୟ ଶାସନ ବ୍ୟବସ୍ଥାକୁ ଚଳାଉଛି କିଏ”? ରାଜ୍ୟବାସୀଙ୍କ ମନ ଭିତରେ ଏହା ଏବେ ପ୍ରମୁଖ ପ୍ରଶ୍ନ ହୋଇ ରହିଯାଇଛି ବୋଲି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି । ପ୍ରଥମେ ଷ୍ଟୋରୀ ପ୍ରସ୍ତୁତ ହୋଇ ଚଳଚିତ୍ର ନିର୍ମାଣ କରାଯିବା ଭଳି ରାଜ୍ୟରେ ମଧ୍ୟ ପ୍ରଥମେ ଷ୍ଟୋରୀ ପ୍ରସ୍ତୁତ କରାଯାଇ ପରେ କ୍ରାଇମ କରାଯାଉଛି । ଏହା ଅତ୍ୟନ୍ତ ବିପଦଜନକ । ଗତ କିଛି ବର୍ଷ ହେଲା ରାଜ୍ୟରେ ସାଇବର କ୍ରାଇମ, ଶିଶୁ ଅପହରଣ, ଲୁଟ୍‌, ଧର୍ଷଣ ଓ ହତ୍ୟା ଭଳି ଅପରାଧ ସଂଖ୍ୟା ଦିନକୁ ଦିନ ବଢିଚାଲିଛି ।

ଜାତୀୟ ସ୍ତରରେ ଓଡିଶାର ସ୍ଥାନ ସର୍ବାଗ୍ରେ ରହିଥିବାର ଏନସିଆରବି ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଛି । ଏପରିକି ବିଧାନସଭାରେ ମଧ୍ୟ ରାଜ୍ୟ ସରକାର ନିଜେ ସ୍ୱୀକାର କରିଛନ୍ତି । ୨୩ ବର୍ଷ ଧରି ଓଡ଼ିଶାର ଗୃହମନ୍ତ୍ରୀ ଦାୟୀତ୍ୱରେ ଥିବା ସ୍ୱୟଂ ମୁଖ୍ୟମନ୍ତ୍ରୀ ନିଜ ନୈତିକତା ହରାଇଛନ୍ତି । ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ନିଜ ପଦରୁ ଓହରି ଯିବା ଉଚିତ୍ ବୋଲି ବକ୍ସିପାତ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ବକ୍ସିପାତ୍ର କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ସୁରକ୍ଷା କର୍ମୀ ହତ୍ୟା କରିଥିଲେ । ସେହିପରି ରାଜ୍ୟ କ୍ୟାବିନେଟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୃହ ବିଭାଗର ପୋଲିସ ଅଧିକାରୀ ଜଣକ ଗୁଳି କରି ହତ୍ୟା କଲେ । ଏଭଳି ସମ୍ବେଦନଶୀଳ ହତ୍ୟାର ତଦନ୍ତ ମଧ୍ୟ ସେହି ଗୃହ ବିଭାଗର କ୍ରାଇମବ୍ରାଂଚ ଦ୍ୱାରା କରାଗଲା । ମୁଖ୍ୟମନ୍ତ୍ରୀଙ୍କର ଗୃହବିଭାଗ, ପୋଲିସ ଡିଜି, ଗୃହ ବିଭାଗ ସଚିବ ପ୍ରମୁଖ ସ୍ୱର୍ଗତଃ ଦାସଙ୍କ ମୃତ୍ୟୁର ତଦନ୍ତ କରିବା କଥା କିନ୍ତୁ ତାହା ହେଲା ନାହିଁ । ଘଟଣାର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ କୈାଣସି ସତ୍ୟାସତ୍ୟ ସାମ୍ନାକୁ ଆସିଲା ନାହିଁ । ବରଂ ଅତୀତରେ ଶୁଣିବାକୁ ମିଳିଥିବା ‘ଜାମୁକୋଳି’, ‘ପୋଖରୀରେ ଲେଗ୍ ଗିନ୍ସ’ ଗପ ଭଳି ଏଥର ମଧ୍ୟ ‘ପାଇଖାନା ଟାଙ୍କିରୁ ଚିଠି’ ମିଳିବାର ଗପ ରାଜ୍ୟବାସୀ ଶୁଣିବାକୁ ପାଇଲେ ।

ଜଣେ କ୍ୟାବିନେଟ ସହଯୋଗୀଙ୍କୁ ହରାଇଥିବା ରାଜ୍ୟ ସରକାର କ୍ୟାବିନେଟରେ ଶୋକ ମଧ୍ୟ ପରିପ୍ରକାଶ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଏଭଳି ଘଟଣା ବିଶ୍ୱରେ ବିରଳ ବୋଲି ବକ୍ସିପାତ୍ର କହିଛନ୍ତି ।ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ପ୍ରତ୍ୟେକ ଦିନ ବିପର୍ଯ୍ୟସ୍ତ ହେଉଛି ବୋଲି ଓଡ଼ିଶାବାସୀ ହୃଦୟଙ୍ଗମ କରୁଛନ୍ତି । ଗତ ୨ ରୁ ୩ବର୍ଷ ହେବ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଯେଉଁ ନୂଆ ଘଟଣାମାନ ଘଟୁଛି, ତାହା ଅତୀତରେ କେବେହେଲେ ଓଡ଼ିଶାରେ ଦେଖା ଯାଉନଥିଲା । ସାଧାରଣ ଲୋକଟି ନ୍ୟାୟ ପାଇବା ଆଶାରେ ପୋଲିସ ପାଖକୁ ଗଲେ, ତାର ଏତଲାକୁ ପୋଲିସ ଗ୍ରହଣ କରୁନାହିଁ ।

ନ୍ୟାୟାଳୟର ହସ୍ତକ୍ଷେପ ପରେ ପୋଲିସ ଏତଲାକୁ ଗ୍ରହଣ କରୁଛି ସତ, କିନ୍ତୁ ତଦନ୍ତର ଫଳାଫଳ ସନ୍ଦେହ ଘେରରେ ରହୁଛି । ମାନ୍ୟବର ନ୍ୟାୟାଳୟଙ୍କୁ ଅପବ୍ୟବହାର କରୁଛନ୍ତି ରାଜ୍ୟ ସରକାର । ମମିତା ମେହେର ହତ୍ୟାକାଣ୍ଡଠାରୁ ଆରମ୍ଭ କରି ବର୍ତମାନର ଆନନ୍ଦପୁର ଓ ତିର୍ତୋଲ ବିଧାୟକ ଘଟଣା, ପିପିଲି, କାଶୀପୁର ଆଦି ଘଟଣାମାନ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ପୋଲିସ ବିଭାଗର ମନୋମୁଖୀ କାର୍ଯ୍ୟକଳାପର ମୁଖ ସାକ୍ଷୀ । ରାଜନୀତିର ଅପରାଧିକରଣ ପାଇଁ ଶାସକ ଦଳ ସଂପୂର୍ଣ୍ଣ ଦାୟୀ ଏବଂ ଏଥିରେ ଅମଲାତନ୍ତ୍ରକୁ ମଧ୍ୟ ସାମିଲ କରାଯାଉଛି । ରାଜ୍ୟ ସରକାରଙ୍କ ପୋଲିସ ବିଭାଗକୁ କ୍ରାଇମ ତଥ୍ୟ ଲୁଚାଇବା କାର୍ଯ୍ୟରେ ଲଗାଯାଉଛି । ଅପରାଧି ଏବଂ ସାକ୍ଷୀମାନଙ୍କୁ ଦୁର୍ଘଟଣା, ଆତ୍ମହତ୍ୟା ଜରିଆରେ ହତ୍ୟା କରାଯାଉଛି । ଏପରିକି ପୋଲିସ ଓ ଜେଲ୍ ଭିତରେ ହତ୍ୟା କରାଯାଇ ମୂଳ ତଥ୍ୟକୁ ଲୁଚାଯାଉଛି ।

ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାରେ ଲୋକେ ବିଶ୍ୱାସ କରି ଶାସନ ଗାଦିରେ ବସାଇଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଓ ପୋଲିସ ବିଭାଗ ତାହାର ଅପବ୍ୟବହାର କରିଥିବାରୁ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟି ଯାଉଛି ବୋଲି ବକ୍ସିପାତ୍ର କହିଛନ୍ତି । ସ୍ୱର୍ଗତଃ ଦାସଙ୍କ ହତ୍ୟା ଓଡ଼ିଶା ରାଜନୀତିରେ ଏକ ବିରଳ ଘଟଣା ଏବଂ ସାଧାରଣ ଜନତା ଏହାର ସତ୍ୟାସତ୍ୟକୁ ଜାଣିବାର ନିହାତି ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟ ସରକାର ନିଜେ ତଦନ୍ତ କରିବା ଆଳରେ ମିଛ ଗପ ଶୁଣାଉଛନ୍ତି । ଓଡ଼ିଶାରେ ଏତେବଡ ଘଟଣା ଘଟିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ଥାଣୁ ପାଲଟିଯାଇଛନ୍ତି । ଓଡିଶାରେ ଯଦି ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ସୁରକ୍ଷିତ ନୁହନ୍ତି, ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା ନକହିବା ଭଲ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ସାଡେ ଚାରି କୋଟି ଓଡିଶାବାସୀଙ୍କ ଆସ୍ଥା ମୁଖ୍ୟମନ୍ତ୍ରୀଙ୍କ ଉପରୁ ତୁଟିଯାଇଛି ବୋଲି ବକ୍ସିପାତ୍ର କହିଛନ୍ତି ।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁର ତଦନ୍ତ ବାଟବଣା ପ୍ରତିବାଦରେ ଆସନ୍ତା ୧୪, ୧୫, ୧୬ ରେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ଆସନ୍ତାକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ୧୫ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ । ସେହିପରି ୧୬ତାରିଖ ଦିନ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବୀ କରି ପାଇଁ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି  ବକ୍ସିପାତ୍ର କହିଛନ୍ତି । ବିଜେପି ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଅଧିକ ଶାଣିତ କରିବା ସହ ଗାଁ, ପଂଚାୟତ, ବ୍ଳକରେ ଆନ୍ଦୋଳନ କରିବ ବୋଲି  ବକ୍ସିପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.