Below header

ମାଲକାନଗିରି: ସ୍ବାଭିମାନ ଅଞ୍ଚଳ ଲୋକଙ୍କର କମିବ ସ୍ବାସ୍ଥ୍ୟଗତ ସେବାର ସମସ୍ୟା, ଦୁଇଟି ବୋଟ୍‌ ଆମ୍ବୁଲାନ୍ସ ଉଦଘାଟନ କଲେ ଜିଲ୍ଲାପାଳ

ମାଲକାନଗିରି (କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ଦୁଇଟି ବୋଟ୍‌ ଆମ୍ବୁଲାନ୍ସ । ଦୀର୍ଘ ଦିନ ଧରି ସ୍ୱାଭିମାନ ଅଂଚଳବାସୀ ସ୍ୱାସ୍ଥ୍ୟଗତ ସେବା ପାଇଁ ଦାବି କରିଆସୁଥିବା ବେଳେ ସରକାରଙ୍କ ଫୋକସରେ ଥିବା ସ୍ୱାଭିମାନ ଅଞ୍ଚଳ ପାଇଁ ଏହି ସେବା ଯୋଗାଇ ଦିଆଯାଇଛି । ଦୁଇଟି ବୋଟକୁ ଆଜି ଶୁଭ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ୱାଇ.ବିଜୟ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ପ୍ରଦାନ କରାଯାଇଛି ।

ରାଜ୍ୟର କେନ୍ଦ୍ରାପଡା, କୋରାପୁଟ, କଳାହାଣ୍ଡି ଭଳି ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ଗୋଟିଏ ଲେଖାଏଁ ଯୋଗାଇ ଦିଆଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଦୁଇଟି ଯୋଗାଇ ଦିଆଯାଇଛି । ଅରାପଦର ଠାରେ ଗୋଟିଏ ଏବଂ କୁନ୍ତରପଦର ଠାରେ ଆଉ ଗୋଟିଏ ଆମ୍ବୁଲାନ୍ସ ରଖାଯିବା ନେଇ ନିଷ୍ପତ୍ତି ହୋଇଛି ।

ଯାହାଫଳରେ ପ୍ରାୟ ୪୦ଟି ଗ୍ରାମର ୨୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଉପକୃତ ହୋଇପାରିବେ । ଦୁଇଟି ଆମ୍ବୁଲାନ୍ସରେ ୩୭ଟି ଭାସମାନ ଜେଟିର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଜରୁରୀକାଳୀନ ସେବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯାଇଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ଅନବରତ ସେବା ଯୋଗାଇବା ପାଇଁ ତତ୍ପର ରହିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.