ବିବାହିତ ପ୍ରେମିକ କଥାରେ ରାଜି ହେଲାନି ପ୍ରେମିକା, ଗୁଳିମାଡ କରି ହେଲା ଗିରଫ

ବିବାହିତ ପ୍ରେମିକର ପ୍ରେମକୁ ପ୍ରତ୍ୟାଖାନ କଲା ପ୍ରେମିକା । ଗୁଳିମାଡ କରି ହତ୍ୟା ଉଦ୍ୟମ କଲା ପ୍ରେମିକ । ଅଭିଯୋଗ କରି ତଦନ୍ତ ଆରମ୍ଭ କଲା ପୋଲିସ ।

ରାଇରଙ୍ଗପୁର (କେନ୍ୟୁଜ): ପ୍ରେମିକ ସାଜିଲା ପିଶାଚ। ଦେଖା କରିବାକୁ ମନା କରିବାରୁ ପ୍ରେମିକାକୁ କଲା ଗୁଳିମାଡ। ଅଭିଯୁକ୍ତ ପ୍ରେମିକ ସହ ଦୁଇ ସହଯୋଗୀ ଗିରଫ । ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି ।

ସୂଚନା ଅନୁଯାୟୀ ରାଇରଙ୍ଗପୁର ଥାନା ଅଁଳାଡୁବା ଗାଁର ଅର୍ଜୁନ ପଣ୍ଡାଙ୍କର ବିଶୋଇ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । କିନ୍ତୁ କୌଣସି କାରଣରୁ ଅର୍ଜୁନଙ୍କର ଅନ୍ୟ ସ୍ଥାନରେ ବାହାଘର ହୋଇଯାଇଥିଲା । ବାହାଘର ପରେ ଅର୍ଜୁନଙ୍କ ସହ ସମ୍ପର୍କ ରଖିବାକୁ ମନା କରିଥିଲେ ପୂର୍ବ ପ୍ରେମିକା । ବାରମ୍ବାର ବାରଣ ସତ୍ତ୍ୱେ ବି ଅର୍ଜୁନ ପ୍ରେମିକାଙ୍କୁ ଦେଖା କରିବକୁ ଯାଉଥିଲେ । ଯୁବତୀ ମନା କରିବାରୁ ଗତ ୯ ତାରିଖ ଦିନ ଅଭିଯୁକ୍ତ ପ୍ରେମିକ ତାଙ୍କୁୁ ଅପହରଣ କରି ଖଡ଼ଖାଇ ନଦୀ ପାଖକୁ ଆଣିଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଗୁଳିମାଡ କରିଥିଲା ଅଭିଯୁକ୍ତ । ଗୁଳିମାଡ ପରେ ପ୍ରେମିକାକୁ ଏକ ସ୍ଥାନରେ ଲୁଚାଇ ରଖିଥିଲା।

ଗତକାଲି ଯୁବତୀ ଜଣକ ତାଙ୍କ ମାମୁଙ୍କୁ ଫୋନରେ ଘଟଣା ସମ୍ପର୍କରେ କହିଥିଲେ । ପରେ ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି, ଖୋକା, ସ୍କୁଟି ଓ ଟାଟା ମ୍ୟାଜିକ ଜବତ ହୋଇଛି। ପ୍ରେମିକାକୁ ଗୁଳିମାଡ କରିବାକୁ ଝାଡଖଣ୍ଡରୁ ୩୫ ହଜାର ଟଙ୍କା ଦେଇ ବନ୍ଧୁକ କିଣିଥିଲା ଅଭିଯୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.