ଭାଇ ମୁଣ୍ଡକୁ ପଥରରେ ଛେଚିଲା ସାନ ଭାଇ, ଥାନାରେ ପହଞ୍ଚି ଏତଲା ଦେଲେ ବଡ଼ ଭାଇ

ଦୁଇ ଭାଇଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବାଡ଼ିରେ ଷଣ୍ଢ ପଶିଯିବା ନେଇ ଦୁହିଁଙ୍କ ମଧ୍ୟରେ ହୋଇଥିଲା ପାଟି ତୁଣ୍ଡ । ଯାହାକୁ ନେଇ ସାନ ଭାଇ ବଡ଼ ଭାଇକୁ କରିଥିଲା ମରଣାନ୍ତକ ଆକ୍ରମଣ ।

ଭଦ୍ରକ (କେନ୍ୟୁଜ): ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସାମାନ୍ୟ ବଚସାକୁ ନେଇ ଭାଇ ମୁଣ୍ଡକୁ ପଥରରେ ଛେଚିଲା ସାନ ଭାଇ । ଟିକେ ବି ଚିନ୍ତା କଲାନି ରକ୍ତ ସମ୍ପର୍କ କଥା । ଆଉ ବଡ଼ ଭାଇକୁ ଏମିତି ଆକ୍ରମଣ କଲା ଯେ ଭାଇ ମୁଣ୍ଡରୁ ଧାର ଧାର ହୋଇ ରକ୍ତ ବୋହିଲା । ଯନ୍ତ୍ରଣାରେ ଛଟପଟ ହେଉଥାଏ ବଡ଼ ଭାଇ । ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥାଏ । ଠିକ୍‌ ସମୟରେ ଆସି ପଡ଼ୋଶୀ ପହଞ୍ଚିଗଲେ ନଚେତ ଜୀବନ ଯାଇଥାନ୍ତା ।

ଦୁଇ ଭାଇଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବାଡ଼ିରେ ଷଣ୍ଢ ପଶିଯିବା ନେଇ ଦୁହିଁଙ୍କ ମଧ୍ୟରେ ହୋଇଥିଲା ପାଟି ତୁଣ୍ଡ । ଯାହାକୁ ନେଇ ସାନ ଭାଇ ବଡ଼ ଭାଇକୁ କରିଥିଲା ମରଣାନ୍ତକ ଆକ୍ରମଣ । ସାନଭାଇ, ଭାଇବୋହୁଙ୍କ ସହ ସାନଭାଇର ଶଳା ମିଳିତ ଭାବେ ଯୋଜନାବଦ୍ଧ ହୋଇ ବଡ ଭାଇକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିନ ନରେନ୍ଦ୍ରପୁର ଗାଁର ତ୍ରିଲୋଚନ ବଳ ଓ ବୈଲୋଚନ ବଳ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତକାଲି ବୈଲୋଚନଙ୍କ ବାଡ଼ିରେ ଷଣ୍ଢ ପଶି ପନି ପରିବା ଖାଇ ଦେଇଥିବା ନେଇ ବୈଲୋଚନଙ୍କ ସ୍ତ୍ରୀ ତ୍ରିଲୋଚନ ବଳଙ୍କୁ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ଦୁଇଙ୍କ ମଧ୍ୟରେ ବଚସା ହେଲା ପରେ ଏହା ଝଗଡାର ରୂପ ନେଲା । ରାଗରେ ଜଳୁଥିଲେ ବୈଲୋଚନ । କଣ କରିବେ କଣ ନାହିଁ କିଛି ବୁଝି ପାରୁ ନଥିଲେ । ମନ ଭିତରେ କେତେ କଣ ଭାବୁଥିଲେ ।

ଫଳରେ ଗତକାଲି ଅପରପକ୍ଷ ବୈଲୋଚନ ବଳ, ପ୍ରମୋଦ ବଳ ଯୋଜନାବଦ୍ଧ ଭାବେ ତ୍ରିଲୋଚନଙ୍କୁ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ବୈଲୋଚନ ବଳ ଏକ ପଥରରେ ନିଜ ବଡ ଭାଇର ମୁଣ୍ଡକୁ ଛେଚିଥିଲେ । ତ୍ରିଲୋଚନ ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡିଥିବା ବେଳେ ପଡୋଶୀ ଦୌଡି ଆସି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ତ୍ରିଲୋଚନଙ୍କ ମୁଣ୍ଡରେ ୪ଟି ସ୍ଥାନରେ କ୍ଷତ ହୋଇଛି ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ସରିବା ପରେ ଘରକୁ ଆସିଥିଲେ ତ୍ରିଲୋଚନ । ପରେ ଥାନାରେ ପହଞ୍ଚି ଏତଲା ଦେଇଥିଲେ । ତ୍ରିଲୋଚନଙ୍କ ଅଭିଯୋଗକୁ ଭିତ୍ତିକରି ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ତେବେ ଅଭିଯୁକ୍ତମାନଙ୍କ ଗିରଫ ପାଇଁ ତ୍ରିଲୋଚନ ଦାବି କରିଛନ୍ତି । ଭାଇ ଭାଇ ମଧ୍ୟରେ ତ ଝଗଡ଼ା ହୁଏ । କିନ୍ତୁ ବେଳେବେଳେ ଏ ଝଗଡ଼ା ଯେ ଆକ୍ରମଣର ରୂପ ନିଏ ତାହା ଏଭଳି ଘଟଣାରୁ ପ୍ରକାଶ ପାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.