ରାସ୍ତା ମଝିରେ ହାଇଡ୍ରାମା, ଟ୍ରାକ୍ଟରକୁ ଅଢ଼େଇ ଘଣ୍ଟା ବାଟ ଓଗାଳିଲା ଷଣ୍ଢ
ସୋର (କେନ୍ୟୁଜ) : ରାସ୍ତା ଉପରେ ଲୋକେ ଜାମ୍,ଗାଡି ମଟର ବି ଜାମ୍। ଲୋକେ ବୁଝି ପାରୁନଥିଲେ ଯେ ମଝି ରାସ୍ତାରେ କଣ ଚାଲିଛି? ପଚାରି ବୁଝୁ ବୁଝୁ ଜଣାପଡିଲା ଯେ ଏଠି ଗୋଟିଏ ଷଣ୍ଢ ପାଇଁ ଚାଲିଛି ନାଟ। ଟ୍ରାକ୍ଟରକୁ ବାଟ ଓଗାଳିଲା ଷଣ୍ଢ। ଅଧ ଘଣ୍ଟା, ଘଣ୍ଟାଏ ନୁହେଁ ଦୀର୍ଘ ଅଢ଼େଇ ଘଣ୍ଟା କାଳ ମାଟି ବୋଝେଇ ଟ୍ରାକ୍ଟରର ବାଟ ଓଗାଳିଲା ଷଣ୍ଢ। ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ଟ୍ରାକ୍ଟରକୁ ବାଟ ଛାଡିବାକୁ ନାରାଜ ଷଣ୍ଢ।
ମଣିଷ ଯେମିତି ଆଘାତ ପାଇଲେ ପ୍ରତିହିଂସା ପରାୟଣ ହୋଇ ଉଠେ, ସେମିତି ପଶୁ ବି ଆଘାତ ପାଇଲେ ପ୍ରତିଶୋଧ ନେବାକୁ ପଛାନ୍ତି ନାହିଁ। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋରରେ। ସୋର ପୌରପାଳିକା ମଦେଖାଁ ଛକ ଅଞ୍ଚଳରେ ଗୋଟିଏ ଷଣ୍ଢ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ଗୋଟିଏ ମାଟି ବୋଝେଇ ଟ୍ରାକ୍ଟର ଷଣ୍ଢଟିକୁ ଧକ୍କା ଦେଇ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଷଣ୍ଢ ଟି ଟ୍ରାକ୍ଟର କୁ ଅଢେଇ ଘଣ୍ଟା କାଳ ରାସ୍ତା ଉପରେ ଅଟକ ରଖିଥିଲା ।
ସେହି ସ୍ଥାନରେ ଉପସ୍ଥିତ ଥିବା ଲୋକେ ଷଣ୍ଢ ଟିକୁ ବିଭିନ୍ନ ଖାଦ୍ୟ ଦେଇ ପ୍ରଲୋଭିତ କରି ଅନ୍ୟତ୍ର ନେଇଯିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରାକ୍ଟର ଷ୍ଟାଟ୍ ହେବା ମାତ୍ରେ ଷଣ୍ଢଟି ପୁଣି ସେହି ଟ୍ରାକ୍ଟର ନିକଟକୁ ଆସି ଟ୍ରାକ୍ଟରଟିର ବାଟ ଓଗାଳିବା ସହ ଟ୍ରାକ୍ଟର ଉପରେ ଚଢିବାକୁ ଚେଷ୍ଟା କରିଥିଲା । ସେହି ବାଟ ଦେଇ ଅନ୍ୟ ସମସ୍ତ ଗାଡି ମଟର, ଆମ୍ବୁଲାନ୍ସ କୁ ରାସ୍ତା ଛାଡି ଦେଉଥିଲା କିନ୍ତୁ ସେହି ଟ୍ରାକ୍ଟରଟିକୁ ଅଢେଇ ଘଣ୍ଟା ଧରି ଅଟକ ରଖିଥିଲା ଷଣ୍ଢ।
ଲୋକମାନେ ପାଉଁରୁଟି, କଦଳି ଦେଇ ଅନ୍ୟମନସ୍କ କରାଇବା ପରେ ଟ୍ରାକ୍ଟର ଟି ସେହି ସ୍ଥାନରୁ ଖସି ପଳାଇ ଯିବା ପରେ ମଧ୍ୟ ଷଣ୍ଢଟି ସେହି ସ୍ଥାନ ଛାଡି କୁଆଡେ ନଯାଇ ସେହି ଟ୍ରାକ୍ଟରକୁ ଖୋଜିଥିଲା । ଭୟରେ ମାଟି ବହୁଥିବା ଟ୍ରାକ୍ଟରଟି ଆଉ ମାଟି ନବହି କାମ ବନ୍ଦ କରି ଦେଇଥିବା ସୂଚନା ମିଳିଛି । ଟ୍ରାକ୍ଟରଟି ତ ପଳେଇଲା କିନ୍ତୁ ଏବେ ଯାଏଁ ବି ଜଣାପଡିନଥିଲା ପ୍ରକୃତରେ ଷଣ୍ଢଟି ସବୁ ଗାଡିକୁ ଛାଡି ସେହି ଗାଡିକୁ କାହିଁକି ଛାଡୁନଥିଲା। ସତରେ ତାକୁ ଧକ୍କା ଦେବା କାରଣରୁ ନା କଥା କହିପାରରୁନଥିବାଏହି ପ୍ରାଣୀଟି ପାଖରେ କିଛି ଅଲଗା କାରଣ ଥିଲା।