ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ, ବାଗଚୀ ଦମ୍ପତି କଲେ ୩୪୦ କୋଟି ଟଙ୍କା ଦାନ

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ। ଏହି ପ୍ରସ୍ତାବକୁ  ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ। ନାମ ରହିବ ବାଗଚି- ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର। ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ଏଥିପାଇଁ ‘ମାଇଣ୍ଡଟ୍ରି’ ସଫ୍ଟୱେର କମ୍ପାନୀର ସହ ପ୍ରତିଷ୍ଠାତା-ଶିଳ୍ପୋଦ୍ୟୋଗୀ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ୩୪୦ କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ   ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ‘ଆମେ ଟଙ୍କାର ମାଲିକ ନୁହେଁ ବରଂ ଟ୍ରଷ୍ଟି, ଆମ ଟଙ୍କା ଲୋକଙ୍କ ହିତରେ ବିଶେଷ କରି ଆମ ରାଜ୍ୟ ଲୋକଙ୍କ ହିତରେ ଲାଗୁ। ଓଡିଶା ମା ମାଟିକୁ କିଛି ଫେରାଇବାକୁ ଚାହିଁଲୁ, ତେଣୁ ବାଗଚୀ-ଶଙ୍କର କ୍ୟାନ୍ସର ହସ୍ପିଟାଲ ପାଇଁ ୨୩୦ କୋଟି ଟଙ୍କା ଦେବୁ।  ସେହିପରି ବାଗଚୀ-ଶଙ୍କର କରୁଣାଶ୍ରୟ ପାଇଁ ୧୧୦ କୋଟି ଟଙ୍କା  ପ୍ରଦାନ କରିବୁ । ଦୁଇଟି ଅନୁଷ୍ଠାନ ଇନଫୋସିଟିରେ ୪୦ ଏକର ପରିମିତ ଜାଗାରେ ନିର୍ମାଣ ହେବ । କରୁଣାଶ୍ରୟରେ ପାଲିଏଟିଭ କେୟାର ବା କ୍ୟାନ୍ସର ରୋଗୀଙ୍କ ଶେଷ ଚିକିତ୍ସା କରାଯାଇପାରିବ ।

ଭାରତରେ ଏଭଳି ଦୁଇଟି ବ୍ୟବସ୍ଥା କେଉଁଠି ନାହିଁ ଓ ୨୦୨୩ ସୁଦ୍ଧା ଦୁଇଟି ହସ୍ପିଟାଲ ତିଆରି ସରିବ ବୋଲି ବାଗଚୀ ଦମ୍ପତି କହିଛନ୍ତି । ରାଜ୍ୟ ସରକାର ସହଯୋଗ କରୁଥିବାରୁ ଆମେ କୃତଜ୍ଞ ବୋଲି ସେମାନେ କହିଥିବାବେଳେ ହସ୍ପିଟାଲ ସହ ଆମର କୌଣସି ବ୍ୟକ୍ତିଗତ/ବ୍ୟାବସାୟିକ ସମ୍ପର୍କ ରହିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.