ସାତ ସପନ ପାଲଟିଛି ପିଇବା ପାଣି, ହୋଇପାରୁନି ରାସ୍ତା ନିର୍ମାଣ

ଗ୍ରାମବାସୀ ପାଖରେ ଥିବା ନାଳରୁ ଚୁଆ ଖୋଳି ସେଥିରୁ ପାଣି ଆଣି ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି । ଏହାକୁ ନେଇ ଗ୍ରାମବାସୀ ଅନେକ ଥର ପଞ୍ଚାୟତ, ବ୍ଲକ ଅଫିସ, ପଲ୍ଲୀସଭା, ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୂଫଳ ମିଳି ପାରୁନାହିଁ ।

ରେଢାଖୋଲ (କେନ୍ୟୁଜ): ଦୁନିଆ ଟେକ୍ନୋଲୋଜିରେ କେତେ ଆଗେଇଲାଣି । କିନ୍ତୁ ଏବେ ବି ଲୋକଙ୍କ ପାଇଁ ପିଇବା ପାଣି ସାତ ସପନ ପାଲଟିଛି । ପିଇବା ପାଣି ସମସ୍ୟାକୁ ରାସ୍ତା ସମସ୍ୟା ଭିନ୍ନ । ଗାଁ ଲୋକଙ୍କ ସୁବିଧା ପାଇଁ କେତେ କଣ ଯୋଜନା କରାଯାଉଛି । ଏବେ ମଧ୍ୟ ଅନେକ ଗାଁ ଅଛି ଯେଉଁଠାରେ ରାସ୍ତା ନାହିଁ କି ପିଇବା ପାଇଁ ପାଣି ନାହିଁ । ସରକାରଙ୍କ ଯୋଜନା ଏହି ଗାଁରେ ଠିକ ରେ ପହଞ୍ଚି ପାରୁନି । ବଣ, ଜଙ୍ଗଲ, ପାହାଡ଼, ପର୍ବତ ଅତିକ୍ରମ କରି ନିଜ କାର୍ଯ୍ୟ ପାଇଁ ପଞ୍ଚାୟତ ତଥା ବ୍ଲକକୁ ଯିବାକୁ ହେଲେ ଲୋକଙ୍କୁ ଅନେକ କିଲୋମିଟର ଦୌଡ଼ିବାକୁ ପଡୁଛି । ସମାନ ଭାବେ ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ତ୍ରୀବଣପୁର ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଆଦିବାସୀ ଅଧ୍ୟୁଷିତ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ତ୍ରୀବଣପୁର ଗ୍ରାମ ପଞ୍ଚାୟତ ସାନ ଖଲିଆମାଳ ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ତା ଶୋଚନୀୟ ରହିଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ଗାଁକୁ ପ୍ରାୟ ୭ କିମିରୁ ଅଧିକ ରାସ୍ତା ରହିଥିବାବେଳେ ଲୋକେ ଚାଲି ଚାଲି ଯାଇ ନିଜ କାମ କରିଥାନ୍ତି । ଉକ୍ତ ରାସ୍ତା ଦେଇ ଲୋକେ ଦୈନନ୍ଦିନ ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟତ କରିଥାନ୍ତି । ତେବେ ଏଠାରେ ରାସ୍ତା ସବୁ ମାଟି ରାସ୍ତା । ପୁଣି ଜଙ୍ଗଲ ପାହାଡ଼ ହୋଇଥିବା ଯୋଗୁଁ ବନ୍ୟ ଜନ୍ତୁର ସବୁବେଳେ ଭୟ ରହୁଛି । ବର୍ଷା ଦିନେ ରାସ୍ତା କାଦୁଅ ହୋଇଯିବା ହେତୁ ରାସ୍ତାରେ ଯିବା ଆସିବା ବହୁତ କଷ୍ଟକର ହୋଇଯାଏ । ଛାତ୍ରଛାତ୍ରୀ ମାନେ ସ୍କୁଲ ଯାଇ ପାରନ୍ତି ନାହିଁ । ଜରୁରୀ ସମୟରେ ଲୋକମାନେ ଅନ୍ୟ ରାସ୍ତା ପାହାଡ ପର୍ବତ ପାର କରି ପ୍ରାୟ ୨୫ କିମି ଅତିକ୍ରମ କରି ପଞ୍ଚାୟତ ଅଫିସକୁ ଚାଉଳ ଏବଂ ଭତ୍ତା ନେବାକୁ ଯାଇଥାନ୍ତି । ଯଦି ଗାଁରେ କୌଣସି ରୋଗୀଙ୍କୁ ବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ନେବାକୁ ହୁଏ ଲୋକଙ୍କୁ ଖଟିଆରେ ବୋହି ପାଖାପାଖି ୧ କିମି ଚାଲିବାକୁ ପଡିଥାଏ ।

ଅବ୍ୟବସ୍ଥା ଖାଲି ରାସ୍ତା ନୁହେଁ ଏଠାରେ ପାନୀୟଜଳର ମଧ୍ୟ ଘୋର ଅସୁବିଧା ରହିଛି । ଗାଁ ରେ ପାନୀୟଜଳ କହିଲେ ଦୁଇଟି ନଳକୂପ, ଯେଉଁଥିରୁ ଖାଲି ଲୁହା ପାଣି ବାହାରୁଛି । ଯାହା ଦ୍ୱାରା କିଡିନୀ ରୋଗରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଏବେ ବି କିଡିନୀ ରୋଗରେ ଚିକିତ୍ସା ହେଉଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀ ପାଖରେ ଥିବା ନାଳରୁ ଚୁଆ ଖୋଳି ସେଥିରୁ ପାଣି ଆଣି ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି । ଏହାକୁ ନେଇ ଗ୍ରାମବାସୀ ଅନେକ ଥର ପଞ୍ଚାୟତ, ବ୍ଲକ ଅଫିସ, ପଲ୍ଲୀସଭା, ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୂଫଳ ମିଳି ପାରୁନାହିଁ ।

ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଲେ ଶୀଘ୍ର ରାସ୍ତା ନିର୍ମାଣ ସହ ବିଶୁଦ୍ଧ ପାଣି ମିଳିବ ବୋଲି ଗ୍ରାମବାସୀ କହିଛନ୍ତି । ଏ ବିଷୟରେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବିଷୟରେ ବିଭାଗୀୟ ଅଧିକାରୀ ଏବଂ ବିଡିଓଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ସହିତ ବ୍ରିଜ ମଧ୍ୟ କରାଯିବ । ତେବେ ଦେଖିବାକୁ ବାକି ରହିଲା ରାସ୍ତା ସହ ପାଣି ବ୍ୟବସ୍ଥା କେବେ ଆରମ୍ଭ ହେଉଛି ଏବଂ ଏ ଅଞ୍ଚଳର ଗ୍ରାମବାସୀ କେବେ ଉପକୃତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.