କମିବ ବୁଲା କୁକୁରଙ୍କ ପାଦୁର୍ଭାବ, ଜଳାତଙ୍କ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର

ରାଜଧାନୀରେ କମିବ ବୁଲା କୁକୁରଙ୍କ ଆତଙ୍କ । ଭୁବନେଶ୍ୱର ହେବ ଜଳାନ୍ତକ ରୋଗ ମୁକ୍ତ ସହର । ଆଜି କୁକୁର ବନ୍ଧ୍ୟାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି ବିଏମସି ମେୟର ଓ ବିଧାୟକ । ଏହି କେନ୍ଦ୍ରରେ ୨୪୦ କୁକୁର ରହିବାର କ୍ଷମତା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମର ବହୁ ଦିନର ପ୍ରାଣୀ ମଙ୍ଗଳ ଲକ୍ଷ୍ୟ ପୂରଣ ହୋଇଛି । ସରକାର ଏବଂ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ମାନି ଏବଂ ଜନସାଧାରଣଙ୍କର ଆବଶ୍ୟକତାକୁ ପ୍ରାଥମିକତା ଦେଇ ନିର୍ମିତ ହୋଇଥିବା ସ୍ୱତନ୍ତ୍ର ଭିତ୍ତିଭୂମି ଶ୍ୱାନ ବନ୍ଧ୍ୟାକରଣ କେନ୍ଦ୍ର କାର୍ଯ୍ୟକାରୀ ହୋଇଛି । ପୂର୍ବରୁ ସହିଦ ନଗରଠାରେ ଅଳ୍ପ ସଂଖ୍ୟକ କୁକୁରଙ୍କର ବନ୍ଧ୍ୟା କରଣ ହେଉଥିଲା । ଏହି ନୂତନ ବନ୍ଧ୍ୟାକରଣ କେନ୍ଦ୍ରରେ ୨୪୦ଟି କୁକୁର ରହିବାର କ୍ଷମତା ରହିଛି । ୪୮ଟି ଶ୍ୱାନ ଗୃହ ରହିଥିବା ବେଳେ ୨ଟି ଅପରେସନ ଥିଏଟରରେ ୫ଟି ଅପରେସନ ଟେବୁଲ ରହିଛି । କୁକୁରମାନଙ୍କୁ ଆଣିବା ଓ ଛାଡିବା ପାଇଁ ୨ଟି ଶ୍ୱାନ ଯାନ ରହିଛି । ଆବଶ୍ୟକ ଡାକ୍ତର, ଚିକିତ୍ସା ସହାୟକ ଏବଂ କର୍ମଚାରୀ ମଧ୍ୟ ରହିଛନ୍ତି । ଯେଉଁ ଅଂଚଳରୁ କୁକୁରମାନଙ୍କୁ ବନ୍ଧ୍ୟାକରଣ ଓ ଆଂଟି ରାବିସ୍ ଟିକା ଦେବା ପାଇଁ ଏଠାକୁ ଅଣାଯିବ, ସେମାନେ ସୁସ୍ଥ ହେବା ପରେ ପୁଣି ସେହି ଅଂଚଳରେ ଛାଡି ଦିଆଯିବ ।

ବୁଲା କୁକୁରଙ୍କୁ ଶ୍ୱାନ ଯାନଯୋଗେ ଏଠାକୁ ଆଣି, ସରକାରୀ ନିୟମ ଏବଂ ସୁପ୍ରିମ କୋର୍ଟଙ୍କ ଗାଇଡ ଲାଇନ ଅନୁସାରେ ସେମାନଙ୍କୁ ପୃଥକ ଭାବେ ରଖାଯିବ । । ସେମାନଙ୍କର ଖାଇବା, ପିଇବା ଏବଂ ଯତ୍ନ ନିଆଯିବ । ଅଭିଜ୍ଞ ଡାକ୍ତରଙ୍କ ଦବନ୍ଧ୍ୟାକରଣ ଓ ଟିକାକରଣ କରାଯାଇ ସେମାନଙ୍କ ଚିକିତ୍ସା କରାଯିବ । ଅସ୍ତ୍ରୋପଚାର ପରେ ଯତ୍ନ ମଧ୍ୟ ନିଆଯିବ । ବନ୍ଧ୍ୟାକରଣ ଅବଧି ପରେ ସେମାନଙ୍କୁ ନିଜସ୍ଥାନରେ ସୁରକ୍ଷିତ ଭାବେ ଛାଡିଦିଆଯିବାର ସମସ୍ତ ବ୍ୟବସ୍ଥା ହୋଇଛି । କୌଣସି ବୁଲା କୁକୁରଙ୍କୁ ସ୍ଥାନାନ୍ତର ନ କରିବା ପାଇଁ ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏଠାରେ ଯେଉଁସବୁ କାମ ହେଉଛି ବା ଆଗାମୀ ଦିନରେ ହେବ, ତାହା ସବୁ ସରକାରୀ ନିୟମ ଅନୁଯାୟୀ କରାଯିବ । ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ୨୦୦୮ଟି ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିଛି । ଖାଲି ବନ୍ଧ୍ୟାକରଣ ନୁହେଁ, ସେମାନଙ୍କୁ ଜଳାତଙ୍କ ପ୍ରତିରୋଧି ବା ଆଂଟି ରାବିସ୍ ଟିକା ମଧ୍ୟ ଦିଆଯାଉଛି । ଭୁବନେଶ୍ୱରକୁ ଜଳାତଙ୍କ ରୋଗ ମୁକ୍ତ କରିବା ପାଇଁ ବିଏମ୍‌ସିର ଏହା ଏକ ପ୍ରୟାସ । କୌଣସି ଅଂଚଳରେ ବୁଲା କୁକୁରଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇଲେ ନାଗରିକମାନେ ୧୯୨୯କୁ ଫୋନ୍ କରି ଜଣାଇ ପାରିବେ କିମ୍ବା ସଫା ଭୁବନେଶ୍ୱର ଆପ୍‌ରେ ଜଣାଇ ପାରିବେ ବୋଲି କୁହାଯାଇଛି ।

ଗତକାଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ପକ୍ଷରୁ ଶ୍ୱାନ ବନ୍ଧ୍ୟାକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ, ସାମାଜିକ ନ୍ୟାୟ କମିଟିର ଅଧ୍ୟକ୍ଷା ବିନୟିନୀ ଜେନା, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ, ସ୍ଥାନୀୟ କର୍ପୋରେଟର ସେକ୍ ନୁର୍‌ହାସନ, କର୍ପୋରେଟର ଅଜିତ ବେହେରା ପ୍ରମୁଖଙ୍କ ସହ ଟିମ୍ ବିଏମ୍‌ସି ଯୋଗଦେଇଥିଲେ ।