ବିଜୁ ପଟ୍ଟନାୟକ ଏୟାରପୋର୍ଟର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାକୁ ଦେବାକୁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ

କେନ୍ୟୁଜ୍(ବ୍ୟୁରୋ): ନ୍ୟାସନାଲ ମନିଟାଇଜେସନ ପାଇପଲାଇନ୍। ଏଥିରେ ଯେଉଁ ସମ୍ପତ୍ତିର ମନିଟାଇଜେସନ ପାଇଁ ତାଲିକା ପ୍ରସ୍ତୁତ ହୋଇଛି ସେଥିରେ ରହିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର। ଚଳିତ ଆର୍ଥିକ ବର୍ଷରେ ବିଜୁ ପଟ୍ଟନାୟକ ଏୟାରପୋର୍ଟର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାକୁ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁଥିରୁ ପ୍ରାୟ ୯ଶହ କୋଟି ଟଙ୍କା ଆସିବ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଭୁବନେଶ୍ୱର ସହ ବାରଣାସୀ, ତ୍ରିଚି, ଇନ୍ଦୋର ଓ ରାୟପୁର ଏୟାରପୋର୍ଟର ପରିଚାଳନା ଘରୋଇ ସଂସ୍ଥାକୁ ଦିଆଯିବ। ଭୁବନେଶ୍ୱର ଏୟାରପୋର୍ଟର ପରିଚାଳନାକୁ ଘରୋଇ ହାତକୁ ଟେକି ଦେବା ପ୍ରସଙ୍ଗରେ ପୂର୍ବରୁ କଂଗ୍ରେସ ବିରୋଧ ପ୍ରଦର୍ଶନ କରି ଆସୁଛି।

କେବଳ ଏତିକି ନୁହଁ ଦିଲ୍ଲୀ ମୁମ୍ବାଇର କିଛି ଏୟାରପୋର୍ଟକୁ ମଧ୍ୟ ଘରୋଇ ସଂସ୍ଥାକୁ ଦିଆ ସରିଛି। ସେଠାରେ ବିରୋଧ ମଧ୍ୟ ଦେଖିବାକୁ ମିଳିଛି। ଛତ୍ରପତି ଶିବାଜୀ ମହାରାଜା ଆନ୍ତର୍ଜାତିକ ଏୟାରପୋର୍ଟକୁ ଏକ ଘରୋଇ ସଂସ୍ଥା ଦିଆଯାଇଛି। ସେହି ସଂସ୍ଥା ଏୟାର ପୋର୍ଟର ନାଁ ବଦଳାଇ ଶିବାଜୀଙ୍କ ପ୍ରତିମୂର୍ତ୍ତି ଆଗରେ ଫଳକ ଲଗାଇଥିଲା। ଯାହାକୁ ନେଇ ଶିବସେନା ତୀବ୍ର ବିରୋଧ କରି ଭଙ୍ଗାରୁଜା ମଧ୍ୟ କରିଥିଲା। ବର୍ତ୍ତମାନ ଭୁବନେଶ୍ୱର ଏୟାର ପୋର୍ଟ ପରିଚାଳନା ଘରୋଇ ହାତକୁ ଯିବ। ଏ ନେଇ କଂଗ୍ରେସ ବିରୋଧ ଜାରି ରଖିଥିବା ବେଳେ ଅନ୍ୟ ରାଜନୈତିକ ଦଳଙ୍କ ପ୍ରତିକ୍ରିୟା ଦେଇ ନାହାନ୍ତି।

ସରକାରୀ ସଂପତ୍ତିର ମୁଦ୍ରିକରଣ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି କେନ୍ଦ୍ର ସରକାର। ଯେଉଁଥିରେ କେନ୍ଦ୍ର ସରକାରଙ୍କ ସମ୍ପତ୍ତିର ପରିଚାଳନା କରିବେ ଘରୋଇ ସଂସ୍ଥା। ରେଳ, ସଡ଼କ, ଶକ୍ତି, ଷ୍ଟାଡିୟମ, ଏୟାରପୋର୍ଟ, ପୋର୍ଟ ଆଦି କ୍ଷେତ୍ରର ପରିଚାଳନା ଘରୋଇ ସଂସ୍ଥା ହାତକୁ ଯିବ । କେନ୍ଦ୍ର ସରକାରଙ୍କ ପାଖରେ ମାଲିକାନା ରହିବ । ଏକ ନିର୍ଦ୍ଦିଷ୍ଟ ସମୟସୀମା ପରେ ସରକାରଙ୍କୁ ସଂପତ୍ତି ହସ୍ତାନ୍ତର କରିବେ ଘରୋଇ ସଂସ୍ଥା । ୪ ବର୍ଷ ଭିତରେ ଏଥିରୁ ୬ ଲକ୍ଷ କୋଟି ଟଙ୍କା ହାସଲ କରିବା ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପ୍ରସ୍ତୁତ ହୋଇଛି ନ୍ୟାସନାଲ ମନିଟାଇଜେସନ ପାଇପ୍‌ଲାଇନ୍‌।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.