ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ପୋଲିସ ବେଡି ବାନ୍ଧିବା ଘଟଣା, ନିଜ ଆଡୁ ମାମଲା ରୁଜୁ କରି ଆଇଜିଙ୍କୁ ରିପୋର୍ଟ ତଲବ କଲେ OHRC

କଟକ(କେନ୍ୟୁଜ୍):  ବାଲେଶ୍ୱର ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ପୋଲିସ ବେଡି ବାନ୍ଧିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଓଡିଶା ମାନବିକ ଅଧିକାର ଆୟୋଗ । ଏନେଇ ପୂର୍ବାଞ୍ଚଳ ପୋଲିସ ଆଇଜିଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ଭିତରେ ଏନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି OHRC । ଆସନ୍ତା ୨୬ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଶୁଣାଣି ପୂର୍ବରୁ ଘଟଣା ସମ୍ପର୍କିତ ରିପୋର୍ଟ ଦେବାକୁ ବାଲେଶ୍ୱର ସିଡିଏମଓଙ୍କୁ ନିର୍ଦ୍ଦେଶ ହୋଇଛି

  ପୋଲିସର ବର୍ବରତାକୁ ପ୍ରତିବାଦ କରିଛି ପୁରୀ ଜିଲ୍ଲା ସାମ୍ବାଦିକ ସଂଘ । କଳା ବ୍ୟାଜ ପିନ୍ଧି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ସଂଘ । ଏଥିସହ ପୁରୀ ଗସ୍ତରେ ଆସିଥିବା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କୁ ଡିଜିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି । ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ମାନବିକ ଅଧିକାରର ଉଲ୍ଲଂଘନ କରୁଛି ବୋଲି ସ୍ୱୀକାର କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ଵାରା ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନରସିଂହ ଭୋଳ । ସେପଟେ ଏହି ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ। ରାଜ୍ୟ ସରକାର ତୁରନ୍ତ ଏହି ଘଟଣା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.