ପ୍ରେମକୁ ନେଇ ଯୋଡ଼ା ଥାନାରେ ହାଇଡ୍ରାମା, ପ୍ରେମିକ ଦେଇ ପାରିଲାନି ମାଟ୍ରିକ୍‌ ପରୀକ୍ଷା

ଯୋଡ଼ା (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନାରେ ଆଜି ହାଇଡ୍ରାମା ଦେଖିବା ପାଇଁ ମିଳିଛି। ଛତିଶଗଡରୁ ଫେରାର ହୋଇ ଯାଇଥିବା ପ୍ରେମିକାକୁ ଧରିବା ପାଇଁ ଯୋଡ଼ାରେ ପହଞ୍ଚିଥିଲା ସେଠାକାର ପୋଲିସ୍‌ । ପରେ ଥାନା ପରିସରରେ ଯାହା ଘଟିଲା ସେଥିରେ ବେଶ୍‌ ହଇରାଣ ହୋଇଛି ଛତିଶଗଡ଼ ପୋଲିସ୍‌ ।

ଛତିଶଗଡ ପୋଲିସର ସୂଚନା ଅନୁଯାୟୀ, ଯୋଡ଼ା ଥାନା ଅଞ୍ଚଳର ଜଣେ ଯୁବକ ଛତିଶଗଡରୁ ଜଣେ ନାବାଳିକାକୁ ସୋସିଆଲ ମିଡିଆରେ ପ୍ରେମ ଜାଲରେ ଫସେଇଥିଲା । ପୁଣି ନାବାଳିକା ପ୍ରେମିକାକୁ ଗତ କିଛି ମାସ ହେବ ନେଇ ଆସି ଯୋଡ଼ାରେ ଲୁଚିଥିଲା । ଏନେଇ ନାବାଳିକା ପରିବାର ପକ୍ଷରୁ ଛତିଶଗଡ଼ର ସୀତାପୁର ଥାନାରେ ଗତ ମାର୍ଚ୍ଚ ମାସ ୨୮ ତାରିଖରେ ଏତଲା ଦିଆଯାଇଥିଲା । ଛତିଶଗଡ଼ ପୋଲିସ ବହୁତ ଖୋଜାଖୋଜି କରିବା ପରେ ଯୋଡ଼ାରେ ଏହି ପ୍ରେମୀଯୁଗଳ ରହୁଥିବା ଜାଣିବାକୁ ପାଇଲା ।

ସୂଚନା ପାଇବା ପରେ ଆଜି ଛତିଶଗଡ଼ ପୋଲିସ୍‌ର ଏକ ଟିମ୍‌ ଆସି ଯୋଡ଼ାରେ ପହଞ୍ଚିଥିଲା । ଯୋଡ଼ା ପୋଲିସର ସହାୟତାରେ ପ୍ରେମୀଯୁଗଳଙ୍କୁ ଧରି ଥାନାକୁ ଆଣିଥିଲା । ତେବେ ଯୋଡ଼ା ଥାନାରେ ସ୍ଥାନୀୟ ବସ୍ତି ବାସିନ୍ଦାମାନେ ରୁଣ୍ଡ ହୋଇ ଯୁବକ ଜଣକୁ ଛାଡ଼ି ଦେବା ପାଇଁ ଜିଦ୍‌ କରିଥିଲେ । ଛତିଶଗଡ଼ ପୋଲିସ ସେମାନଙ୍କ କଥା ନଶୁଣି ଥାନାର ପଛ ଦ୍ଵାର ଦେଇ ପ୍ରେମୀ ଯୁଗଳଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ ବସ୍ତି ବାସିନ୍ଦା ଏହାକୁ ଦେଖି ନେଇଥିଲେ, ଆଉ ପ୍ରବଳ ବିରୋଧ କରିବା ସହ ପୋଲିସ ଗାଡ଼ିକୁ ଅଟକାଇ ଥିଲେ। ତେବେ ଯାହା କୁହାଯାଉଛି, ଯୁବକ ଜଣକ ଅନାଥ । ତାଙ୍କର ଛୋଟ ଛୋଟ ୩ ଜଣ ଭଉଣୀ ଅଛନ୍ତି । ସେମାନଙ୍କର ଦେଖାଶୁଣା କରିବାକୁ କେହି ନାହିଁ । ତେଣୁ ଯୁବକ ଜଣକୁ ଛାଡି ଦେବା ପାଇଁ ଲୋକେ ଦାବି କରିଥିଲେ ।

ଏହି ଘଟଣା ଘଟିବା ପରେ ଛତିଶଗଡ଼ ପୋଲିସ ପ୍ରେମିକ ଯୁବକଙ୍କୁ ନନେଇ ଯୋଡ଼ା ପୋଲିସର ସହାୟତାରେ ଉଭୟ ପରିବାର ବର୍ଗଙ୍କ ସହିତ ଆଲୋଚନା ଜାରି ରଖିଛି । ତେବେ ପ୍ରେମିକଟି ହେଉଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀ । ଆଜି ଏହି ବିବାଦ ଭିତରେି ସେ ଆଉ ପରୀକ୍ଷା ଦେଇ ପାରି ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.