Below header

ସରିଯାଇଥିଲା ପ୍ରଥମ ବରଣୀ, ଖବର ପାଇ ଚାଇଲ୍ଡଲାଇନ ପହଞ୍ଚି ବନ୍ଦ କଲା ବାଲ୍ୟ ବିବାହ

କେନ୍ଦୁଝର: ବାଲ୍ୟ ବିବାହ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଥିବା ବେଳେ ରବିବାର ପୂର୍ବାହ୍ନରେ ଯୋଡା ପୌରପାଳିକା ଅନ୍ତର୍ଗତ ୬ନଂ ୱାର୍ଡର ବାଚ୍ୟୁ ହାଟିଂ ଠାରେ ଏକ ବାଲ୍ୟ ବିବାହ ହେଉଥିବା ଖବର ପାଇ ଚମ୍ପୁଆ ଚାଇଲ୍ଡ ଲାଇନ ରୋକିବାରେ ସକ୍ଷମ ହୋଇଛି। ରବିବାର ସକାଳ ପ୍ରାୟ ୧୧ ଟାରେ ବାଚ୍ୟୁ ହାଟିଂ ନିକଟରେ ଥିବା ତାରିଣୀ ମନ୍ଦିରରେ ଏହି ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ଚମ୍ପୁଆ ଚାଇଲ୍ଡ ଲାଇନର ଟିମ୍ ମେମ୍ବର ହିମାଦ୍ରୀ ନାଏକ ୧୦୯୮ ଟୋଲ ଫ୍ରି ନମ୍ବରରେ ସୂଚନା ପାଇଥିଲେ। ଏହାକୁ ଆଧାର କରି ସେ ଶିଶୁ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ମହାନ୍ତି, ଯୋଡା ପୁଲିସ ପକ୍ଷରୁ ଏଏସ୍‌ଆଇ ସନ୍ତୋଷ ପ୍ରଧାନ, ମହିଳା କନେଷ୍ଟବଳ ସବିତାପ୍ରଭା ଦେହୁରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ମନ୍ଦିରରେ ପ୍ରଥମ ବରଣୀ ସରି ହାତ ଗଣ୍ଠି ପଡିବାକୁ ବାକିଥିଲା। ତେବେ ପୁଲିସକୁ ଦେଖି ପୂଜକ ମନ୍ଦିର ଛାଡି ଚମ୍ପଟ ମାରିଥିଲା। ଏହା ସହିତ ବର ମଧ୍ୟ ଘଟଣାସ୍ଥଳରୁ ନିଖୋଜ ହୋଇଯାଇଥିଲା।

ସରକାରୀ ନିୟମ ମୁତାବକ, ଝିଅର ବୟସ ୧୮ ଏବଂ ପୁଅର ବୟସ ୨୧ ବିବାହ ବର୍ଷ କୁହାଯାଉଥିବା ବେଳେ ପ୍ରକୃତରେ କମାରଯୋଡା ଅଞ୍ଚଳର ବରକୁ ୧୮ ବର୍ଷ ଓ କନ୍ୟାକୁ ମାତ୍ର ୧୪ ବର୍ଷ ହୋଇଛି। ବିବାହ କାର୍ଯ୍ୟକୁ ବନ୍ଦ ରଖି ଝିଅର ବାପା ରାଜେନ୍ଦ୍ର କାରୁଆ ଏବଂ ମା ଆଶାଲତା କାରୁଆଙ୍କ ଠାରୁ ଏକ ଲିଖିତ ଚୁକ୍ତିନାମା କରାଯାଇଛି। ଏଥିରେ ଝିଅର ବୟସ ୧୮ ଓ ପୁଅର ୨୧ ବର୍ଷ ପୂର୍ବରୁ ସେ ଝିଅକୁ ବିବାହ କରାଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପରେ ବରର ବାପା ପବନ କାରୁଆ ଏବଂ କନ୍ୟାର ବାପା ରାଜେନ୍ଦ୍ର କାରୁଆଙ୍କୁ ଉଭୟ ବର-କନ୍ୟାଙ୍କୁ ହସ୍ତାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଖଣି ଅଞ୍ଚଳରେ ଶିକ୍ଷା ଓ ସଚେତନତାର ଅଭାବରୁ ଏବେବି ବାଲ୍ୟ ବିବାହ ଭଳି କଳୁଷିତ ପ୍ରଥା ବଳବତ୍ତର ରହିଥିବା ପରିଲକ୍ଷିତ ହେଉଛି । ତେଣୁ ପ୍ରଶାସନ ପକ୍ଷରୁ ଏ ନେଇ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.