ପୂର୍ବ ଶତ୍ରୁତାରୁ ଗୋଷ୍ଠି ଆକ୍ରମଣ: ଜଣେ ମୃତ, ଜଣେ ଆହତ

ପୁରୀ (କେନ୍ୟୁଜ): ପୁରୀ ଜ଼ିଲ୍ଲା ସାକ୍ଷୀଗୋପାଳ ସତ୍ୟାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଗୋଷ୍ଠୀ ଆକ୍ରମଣରେ ଇନ୍ଦ୍ରମଣି ପଣ୍ଡା (୪୬) ଙ୍କର ମୃତ୍ୟୁ ଘଟିଛି। ମୃତ ଇନ୍ଦ୍ରମଣି ଗ୍ରାମ ନିକଟ କେନାଲ ବ୍ରିଜକୁ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ ସେଠାରେ ଛପି ରହିଥିବା ବିଜୟ କୁମାର ପଣ୍ଡା ଓ ଅନ୍ଯ ମାନେ କଟୁରୀ, ଶାବଳ, ଠେଙ୍ଗା ଆଦି ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ।
ଖରପାଇ ତାଙ୍କ ପତ୍ନୀ ଓ ପରିବାର ଲୋକେ ଇନ୍ଦ୍ରମଣିଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଇନ୍ଦ୍ରମଣି ତଳେ ପଡିଯାଇ ଥିବା ସମୟରେ ତାଙ୍କ ବେକ ଉପରେ ମୋଟର ସାଇକେଲ ଚଢ଼ାଇ ଦିଆଯାଇଥିଲା ବୋଲି ଅଭିଯୋଗକାରୀ ମାନେ ପୋଲିସକୁ କହିଛନ୍ତି। ଗୁରୁତର ଅବସ୍ଥାରେ ମୃତ ଇନ୍ଦ୍ରମଣି ଓ ତାଙ୍କ ବଡଭାଇ ପୁର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସ୍ଥା ସଙ୍କଟାପନ୍ନ ହୋରୁ ପୁରୀଜିଲ୍ଲା ମୁଖ୍ଯ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଚିକିତ୍ସାଧୀନ ଅବସ୍ଥାରେ ଇନ୍ଦ୍ରମଣି ମୃତ୍ୟୁ ବରଣ କରିଥିଲେ। ଏନେଇ ଇନ୍ଦ୍ରମଣିଙ୍କ ପତ୍ନୀ ସୁକାନ୍ତି ପଣ୍ଡାଙ୍କ ଅଭିଯୋଗ କ୍ରମେ ସତ୍ୟାଦୀ ଥାନା କେସ ନଂ ୩୫୫/ ୨୨ ରେ ଏକ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି। ପୋଲିସ ମୃତ ବ୍ଯକ୍ତିଙ୍କ ଶବ ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହିତ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ତଦନ୍ତ କରୁଥିବା ସତ୍ୟାଦୀ ଥାନା ଆଇଆଇସି ବିଜୟ କେତନ ବେହେରା କହିଛନ୍ତି। ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନିମନ୍ତେ ଏସପି ଙ୍କ ନିର୍ଦ୍ଦେଶ ରେ ଟିମ ଆଖପାଖ ଗ୍ରାମରେ ଚଢ଼ାଉ ଆରମ୍ଭ କରିଛନ୍ତି।