ଦୁଗ୍ଧ ଚାଷୀଙ୍କୁ  ସ୍ବତନ୍ତ୍ର କୋଭିଡ ସହାୟତା, ୧ ଲକ୍ଷ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ୧୧ କୋଟି ଟଙ୍କାର ସହାୟତା

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍‌ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି।

 

ସୂଚନାଯୋଗ୍ୟ ଯେ  ଓମ୍‌ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍‌ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍‌ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଅଲମ୍ପିକ୍‌ରେ ଭାରତର ସଫଳତା ପାଇଁ ଭାରତୀୟ ଟିମ୍‌କୁ ଅଭିନନ୍ଦନ ଜଣାଇ କହିଲେ ଯେ ଭାରତୀୟ ହକୀ ଦଳର ଅନନ୍ୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ।

ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରୁଛନ୍ତି। ଗରିବ ଲୋକଙ୍କ ଉପରେ କୋଭିଡ ମହାମାରୀର ପ୍ରଭାବ କମ୍ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମା – ସମସ୍ତଙ୍କ ଆକାଉଣ୍ଟରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ବିଷୟ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ସେମାନଙ୍କ ରୋଜଗାର ବଢାଇବା ସହିତ ଗ୍ରାମ ଅର୍ଥନୀତିକୁ ମଧ୍ୟ ଚଳଚଞ୍ଚଳ କରେ। ମା ମାନଙ୍କ ରୋଜଗାର ବଢାଇବା ସହିତ ସାଧାରଣ ଲୋକଙ୍କ ବିଶେଷକରି ପିଲାମାନଙ୍କ ପୁଷ୍ଟି ସାଧନରେ ଦୁଗ୍‌ଧର ବହୁତ ବଡ ଭୂମିକା ରହିଛି ବୋଲି ସେ କହିଥିଲେ। ତେଣୁ ଦୁଗ୍‌ଧ ଉତ୍ପାଦନରେ ଅଭିବୃଦ୍ଧି ଆଣି ରାଜ୍ୟର ପୁଷ୍ଟି ସ୍ତରକୁ (Nutrition Level) ଆହୁରି ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଦୁଗ୍ଧ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି ରିହାତି ଯୋଗାଇ ଦେଉଛନ୍ତି। ଚାଷୀମାନେ ଏହି ଯୋଜନାର ଉପଯୋଗ କରି ରାଜ୍ୟର ଦୁଗ୍‌ଧ ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.