କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ, ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସାମଙ୍କ ଭିଡିଓ କ୍ଲିପ୍ ଭାଇରାଲ ହେବା ପରେ ନିର୍ବାଚନୀ ସଭାରେ ଏହି ପ୍ରସଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ବିବାଦୀୟ ମନ୍ତବ୍ୟରୁ ପୁଣି ତେଜିଛି ରାଜନୀତି । ପୂର୍ବ ଭାରତରେ ଲୋକେ ଚୀନାଙ୍କ ଭଳି ଦେଖାଯାଆନ୍ତି, ପଶ୍ଚିମ ଭାରତର ଲୋକେ ଆରବବାସୀଙ୍କ ଭଳି, ଉତ୍ତର ଭାରତର ଲୋକେ ଶ୍ୱେତାଙ୍ଗଙ୍କ ଭଳି ଏବଂ ଦକ୍ଷିଣ ଭାରତର ଲୋକେ ଆଫ୍ରିକୀୟଙ୍କ ଭଳି ଦେଖାଯାଉଥିଲେ ବି ଆମେ ସମସ୍ତେ ଭାଇଭଉଣୀ ଭଳି ରହୁ ବୋଲି କଂଗ୍ରେସ ନେତା ସାମ ପିଟ୍ରୋଡା ଏକ ସାକ୍ଷାତକାରରେ କହିିଥିଲେ । ସାମ୍ ଙ୍କ ଏହି ମନ୍ତବ୍ୟକୁ ଦଳମତ ନିର୍ବିଶେଷରେ ତୀବ୍ର ବିରୋଧ କରାଯାଇଛି ।
ସାମଙ୍କ ଭିଡିଓ କ୍ଲିପ୍ ଭାଇରାଲ ହେବା ପରେ ନିର୍ବାଚନୀ ସଭାରେ ଏହି ପ୍ରସଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରୋଧୀ ମୋତେ ଯେତେ ଗାଳି କରିବା କଥା କରନ୍ତୁ । ହେଲେ ମୋ ଦେଶବାସୀଙ୍କୁ କେହି ଏପରି କହିଲେ ମୁଁ ସହି ପାରିବି ନାହିଁ । କଂଗ୍ରେସ ଦେଶକୁ ଚମଡାର ରଙ୍ଗ ଅନୁଯାୟୀ ଭାଗ ଭାଗ କରିବାକୁ ଚାହୁଁଛି । ଏପରି ମାନସିକତାକୁ ଆମେ ଗ୍ରହଣ କରିପାରିବୁ ନାହିଁ । ସାମଙ୍କ ମନ୍ତବ୍ଯ ପାଇଁ କଂଗ୍ରେସର ଶେହଜାଦା ରାହୁଲ ଗାନ୍ଧିଙ୍କୁ ଜବାବ ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେପଟେ ଏଭଳି ଅଦରକାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରୁଥିବା ବେଳେ ନିଯୁକ୍ତି, ମୁଦ୍ରାସ୍ଫୀତି, ମହିଳାଙ୍କ ଉପରେ ଅତ୍ୟାଚାର ଆଦି ପ୍ରସଙ୍ଗରେ ଆଲୋଚନା ପାଇଁ ତାଙ୍କୁ ଆହ୍ୱାନ କରୁଛି ବୋଲି କହି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ସାମ ପିଟ୍ରୋଡାଙ୍କ ବକ୍ତବ୍ୟ ପ୍ରସଙ୍ଗକୁ ଏଡାଇ ଯାଇଥିଲେ ।