ଗ୍ରାଉଣ୍ଡରୁ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌, ଫରେନସିକ୍‌ ଲାବକୁ ପଠାଯିବ ନମୁନା

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ସୃଷ୍ଟି ହୋଇଛି ନାନା ପ୍ରଶ୍ନବାଚୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ର କାରଣ କ’ଣ ? କାହିଁକି ଗୁଳିମାଡ଼ କଲେ ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ? କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଖୋଳତାଡ ଚଳାଇଛି । ତଦନ୍ତ ପାଇଁ ଗଠିତ ୭ ଜଣିଆ ଟିମରେ ତଦନ୍ତକାରୀ ଅଫିସର ଭାବରେ ଡିଏସପି ରମେଶ ଚନ୍ଦ୍ର ଦୋରା ନିୟୋଜିତ ହୋଇଛନ୍ତି । ଟିମରେ ସାଇବର ବିଶେଷଜ୍ଞ ସହ ବାଲାଷ୍ଟିକ୍‌ ଏକ୍ସପର୍ଟ ଓ କ୍ରାଇମବ୍ରାଞ୍ଚର କିଛି ଦକ୍ଷ ଅଧିକାରୀ ରହିଛନ୍ତି ।

ଗ୍ରାଉଣ୍ଡରୁ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ରକ୍ତ ନମୁନା ସହ ଅନ୍ୟାନ୍ୟ ସାଇଣ୍ଟିଫିକ୍‌ ନମୁନା, ଅଭିଯୁକ୍ତର ବନ୍ଧୁକ, ମୋବାଇଲ୍‌ ଫୋନ୍‌ ଆଦି ତଦନ୍ତକାରୀ ଟିମ୍‌ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି । ଜବତ ହୋଇଥିବା ବନ୍ଧୁକ ଓ ଖୋକାକୁ ବାଲାଷ୍ଟିକ୍‌ ଏକ୍ସପର୍ଟ ଯାଞ୍ଚ କରିବା ସହ ପରୀକ୍ଷା ନିରୀକ୍ଷା ପାଇଁ ରସୁଲଗଡ଼ ସ୍ଥିତ ଷ୍ଟେଟ୍‌ ଫରେନସିକ୍‌ ଲାବକୁ ପଠାଯିବ । ସେହିପରି ମୋବାଇଲ୍‌ ଫୋନର ବିଭିନ୍ନ କଲ୍‌ ରେକର୍ଡ ଆଧାରରେ ସାଇବର ଏକ୍ସପର୍ଟ ତଦନ୍ତ ଚଳାଇଛନ୍ତି ।

ଗୁଳିକାଣ୍ଡ ସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କୁ ଜଣେ ପୋଲିସ ଏଏସଆଇ କେମିତି ଗୁଳି ମାରିଲେ ? ଗୁଳି ମାରିବା ସମୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ କ’ଣ କରୁଥିଲେ ? ସେଠାରେ ଏତେ ଲୋକ ଥିବା ବେଳେ କେହି କେମିତି ରୋକି ପାରିଲେ ନାହିଁ ? ମନ୍ତ୍ରୀଙ୍କ ସହ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କର କିଛି ବିବାଦ କି ଶତ୍ରୁତା ରହିଥିଲା କି ? ଗୋପାଳ ଦାସ ପ୍ରାକ୍‌ ପ୍ରସ୍ତୁତି ସହ ଘଟଣାସ୍ଥଳରେ ରହିଥିଲା କି ? ଗୁଳିମାଡ଼ର କାରଣ ଖୋଜି ବାହାର କରିବା ଏବେ କ୍ରାଇମବ୍ରାଞ୍ଚ ଆଗରେ ବଡ଼ ଚ୍ୟାଲେଞ୍ଜ । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି ପୋଲିସ । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.