Below header

ସିଦ୍ଧେଶ୍ୱର ମନ୍ଦିର ନିକଟ ବୈତରଣୀ ନଦୀ ଗର୍ଭରୁ ବାହାରିଥିବା ଶିବ ଲିଙ୍ଗ ଦର୍ଶନ ପାଇଁ ଜମୁଛି ଲୋକଙ୍କ ଭିଡ, ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ଯାଜପୁର ଟାଉନ୍: ବାଲି ଖୋଳୁ ଖୋଳୁ ମହାଦେବ। ନଦୀ ଗର୍ଭରୁ ବାହାରିଛନ୍ତି ଧଳା ଶିବ ଲିଙ୍ଗ । ଏହି ଶିବ ଲିଙ୍ଗ ଦର୍ଶନ କରିବାକୁ ଜମିଛି ଲୋକଙ୍କ ଭିଡ଼। ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ତ ସିଦ୍ଧେଶ୍ୱର ପୀଠ ବିଷୟରେ ଜାଣିଥିବେ ନିଶ୍ଚୟ। ଏହା ଏକ ପ୍ରାଚୀନ ଶୈବପୀଠ । ଏଠାରେ ଦେଶର କୋଣ ଅନୁକୋଣରୁ ଲୋକମାନେ ଆସି ଅସ୍ତି ବିସର୍ଜନ କରି ପିଣ୍ଡଦାନ କରିଥାନ୍ତି।

ତେବେ ଗତକାଲି ଏହି ମନ୍ଦିର ନିକଟରେ ଥିବା ବୈତରଣୀ ନଦୀ ଗର୍ଭରୁ ଗୋଟିଏ ଶିବ ଲିଙ୍ଗ ବାହାରିଥିବା ବେଳେ ଆଉ ଦୁଇଟି ମନ୍ଦିରର ମୁଖୁଚୁଳା ମଧ୍ୟ ଦୃଶ୍ୟମାନ ହେଉଛି । ଜାଗର ଦିନ ଠାରୁ ଏହା ଆଂଶିକ ଭାବେ ଦୃଶ୍ୟମାନ ହେଉଥିବା ବେଳେ ଗତକାଲି ଜଳସ୍ତର କମିବା ପରେ ଏହା ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଛି। ସିଦ୍ଧେଶ୍ୱର ମନ୍ଦିରରୁ ଦୁଇଶହ ମିଟର ଦୂରରେ ବୈତରଣୀ ନଦୀ ଗର୍ଭରୁ ଉପରକୁ ଉଠିଥିବା ମହାଦେବଙ୍କ ଶିବ ଲିଙ୍ଗ ଏବଂ ଦୁଇଟି ମନ୍ଦିରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସ୍ରୁଷ୍ଟି ହୋଇଛି ।

templeଅନ୍ଯପଟେ, ଖବର ପାଇ ଜିଲା ପ୍ରଶାସନ ପକ୍ଷରୁ ଦଶରଥପୁର ବିଡ଼ିଓ ମଧ୍ୟ ପରିଦର୍ଶନ ପାଇଁ ଆସିଥିଲେ । ମନ୍ଦିର ଏବଂ ଲିଙ୍ଗର ସୁରକ୍ଷା ପାଇଁ ASI ବା ପ୍ରତ୍ନତତ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିଛି ଜିଲା ପ୍ରଶାସନ । ଆବଶ୍ୟକ ପଡ଼ିଲେ ଲିଙ୍ଗକୁ ଉଦ୍ଧାର କରାଯାଇ ସଂଗ୍ରହଳୟରେ ରଖାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ମନ୍ଦିର କେତେ ପୁରୁଣା ଏହାର ମଧ୍ୟ ଅନୁସନ୍ଧାନ କରିବ ପ୍ରତ୍ନତତ୍ୱ ବିଭାଗ । ଏହି ଲିଙ୍ଗର ଉଚ୍ଚତା ତିନି ଫୁଟ ହେବ। ଏହି ଅଞ୍ଚଳରୁ ବାଲି ଉତ୍ତୋଳନ କରାଯାଏ । ତେଣୁ JCB ମାଡ଼ରେ ବି ଏହି ଲିଙ୍ଗ ଏବଂ ମନ୍ଦିର ଚୁଡାର କିଛି ଅଂଶ ଭାଙ୍ଗି ଯାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ ମନ୍ଦିରର ସୁରକ୍ଷା ପାଇଁ ମଧ୍ୟ ସେବାୟତ ଏବଂ ଗ୍ରାମବାସୀ ମାନେ ଦାବି କରିଛନ୍ତି। ତେବେ ଅପେକ୍ଷା ରହିଛି କେବେ ଆସି ପହଞ୍ଚିବ ପ୍ରତ୍ନତତ୍ୱ ବିଭାଗ ଏବଂ ସୁରକ୍ଷା ପାଇଁ କଣ ନିଆଯିବ ପଦକ୍ଷେପ ।

ଯାଜପୁର ଟାଉନରୁ ଦେବାଶିଷ ସାହୁଙ୍କ ରିପୋର୍ଟ, କେ ନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.