ରାଇରଙ୍ଗପୁର(କେନ୍ୟୁଜ୍) : ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ବଣପାହାଡ଼ ତଳେ ବିତୁଛି ଅଭିଶପ୍ତ ଜୀବନ। ମୌଳିକ ସୁବିଧା ପାଇଁ ଅନାଇ ବସିଛନ୍ତି ଏଠାକାର ଗ୍ରାମବାସୀ । ପିଇବା ପାଣି ,ବିଜୁଳି ଓ ରାସ୍ତା ପାଲଟିଛି ସାତସପନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଗୟଳକଟା ଗ୍ରାମର କାକଡ଼ାଘୁଟୁ ସାହିରେ । ସ୍ବାଧୀନତାର ଏତେ ବର୍ଷ ପରେ ବି ଏହି ସାହିଟି ଯେପରି ଅନ୍ଧାରୀ ମୂଲକରେ ରହିଯାଇଛି।
ବ୍ଲକ କାର୍ଯ୍ଯାଳୟଠାରୁ ମାତ୍ର ୮ କିମି ଓ ପଞ୍ଚାୟତ କାର୍ଯ୍ଯାଳୟରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ଏହି ଗାଁ । ତଥାପି ପ୍ରଶାସନିକ ଅଧିକାରୀ ଓ ନେତାମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ଗାଁଟି । ନା ଅଛି ରାସ୍ତା ନା ଅଛି ଆଲୁଅ ବ୍ୟବସ୍ଥା । ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ସନ୍ତୋଷ ଜନକ ନୁହେଁ । ସବୁଦିନିଆ ରାସ୍ତାଟିଏ ନ ଥିବାରୁ ଆପାତକାଳୀନ ସମୟରେ ରୋଗୀ ତଥା ପ୍ରସୂତିମାନଙ୍କୁ ଖଟରେ ନେବା ଆଣିବା କରିବାକୁ ହୁଏ । କାରଣ ଏହି ଗାଁକୁ କୌଣସି ଗାଡି ମୋଟର କିମ୍ବା ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ। ସାମାନ୍ୟ ବର୍ଷା ହେଲେ କାଦୁଅ ପଚ ପଚ ରାସ୍ତା। ଚାଲିକି କିମ୍ବା ସାଇକେଲରେ ଯିବା ସମ୍ଭବ ହୋଇନଥାଏ ।
ତେଣୁ ଖରାପ ରାସ୍ତା ଯୋଗୁ ସ୍କୁଲ ଯାଇ ନ ପାରି ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି ଏଠାକାର ଆଦିବାସୀ ପରିବାରର ଅନେକ ଛାତ୍ର ଛାତ୍ରୀ । ବହୁ ଆନ୍ଦୋଳନ ପରେ ଗାଁରେ ଯଦିଓ ଟ୍ରାନ୍ସଫର୍ମର ବସିଲା , କିନ୍ତୁ ୩ ବର୍ଷ ବିତିଗଲା ହେଲେ ବତୀ ଜଳିଲାନାହିଁ କି ଫ୍ଯାନ୍ ବୁଲିଲା ନାହିଁ ।ଘରେ ଲାଗିଥିବା ମିଟର ଓ ମେନ ସୁଇଚ ମଧ୍ଯ ଖରାପ ହେବାକୁ ବସିଲାଣି ।
ଅନ୍ଯପଟେ ପାହାଡ ବଣ ଘେରା ଏହି ଗାଁ ରେ ରାତିର କିଟିକିଟି ଅନ୍ଧାରରେ କେତେବେଳେ ଜୀବଜନ୍ତୁ ଆସିବାର ଭୟ ଘାରେ ତ, ଦିନବେଳା ଅସହ୍ଯ ଗରମରେ ଘରେ ରହି ପାରନ୍ତି ନାହିଁ ଲୋକେ। ଏଠାକାର ଛାତ୍ର ଛାତ୍ରୀଙ୍କୁ ଡିବିରି ଆଲୁଅ ହିଁ ଭରଷା । ଭଲ ରାସ୍ତା ଓ ଆଲୁଅ ବ୍ୟବସ୍ଥା ନ ଥିବାରୁ ଅନେକ ଛାତ୍ର ଛାତ୍ରୀ ଅଧାରେ ପାଠ ପଢା ଛାଡିଦେଇଛନ୍ତି । ପାନୀୟଜଳ ସମସ୍ୟା କହିଲେ କୂଅ, ପୋଖରୀ ନ ଥିବାବେଳେ ୨ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ହୋଇପଡିଛି। ତେଣୁ ଗ୍ରାମର କେତେକ ପରିବାର ବିଲ ଭିତରେ ଥିବା ପରିତ୍ୟକ୍ତ କୂଅ ଉପରେ ନିର୍ଭରଶୀଳ।
ଏହିସବୁ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି ଗ୍ରାମବାସୀ । ଏନେଇ ଆମେ ଉପଜିଲ୍ଲାପାଳ ଓ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ କାରୋନା ସମୟରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ତେବେ ଆଉ କେତେ ବର୍ଷର ଅପେକ୍ଷା ପରେ ଗାଁରେ ପଡିବ ବିକାଶର ପାଦଚିହ୍ନ ସେନେଇ ଅପେକ୍ଷାରେ ଗ୍ରାମବାସୀ ।