ବଢ଼ିଲା ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ ଅବଧି, ଜାଣନ୍ତୁ କେଉଁ ତାରିଖ ମଧ୍ୟରେ ସବ୍‌ମିଟ୍‌ କରିବେ କାଗଜପତ୍ର

ବଢ଼ିଲା ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ ଅବଧି। ରାଜ୍ୟ ସରକାର ଏହାର ଦାଖଲ ଅବଧିକୁ ମେ’ ଯାଏଁ ବଢ଼ାଇ ଦେଇଛନ୍ତି। ପ୍ରତିବର୍ଷ ନଭେମ୍ବର ମାସରେ ପେନ୍‌ସନ୍‌ଭୋଗୀମାନେ ଦାଖଲ କରୁଥିବା ଲାଇଫ୍‌ ସାର୍ଟିଫିକେଟ୍‌ ଚଳିତବର୍ଷ ମେ’ ମାସ ମଧ୍ୟରେ ଦାଖଲ କରିପାରିବେ। କରୋନା ଯୋଗୁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପେନ୍‌ସନ୍‌ଭୋଗୀ ଓ ପରିବାରର ପେନ୍‌ସନ୍‌ ପାଉଥିବା ବ୍ୟକ୍ତିଙ୍କୁ ପେନ୍‌ସନ୍‌ ପ୍ରଦାନ ପାଇଁ ବାଧ୍ୟତାମୂଳକ ସାର୍ଟିଫିକେଟ୍‌ ଦାଖଲ ପ୍ରାବଧାନକୁ ରାଜ୍ୟ ସରକାର କୋହଳ କରିଛନ୍ତି। ଏହାକୁ ନଭେମ୍ବର ୨୦୨୦ରୁ ମେ ୨୦୨୧କୁ ବଢ଼ାଇ ଦିଆଯାଇଛି। ପ୍ରଥମ ଥର ପାଇଁ ପେନ୍‌ସନ୍‌ଧାରୀଙ୍କ ଅନୁପସ୍ଥିତିରେ ଗ୍ରାଚ୍ୟୁଇଟି ଓ କମ୍ୟୁଟେଡ୍‌ ପେନ୍‌ସନ୍‌ ପ୍ରଦାନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ତେବେ କେବଳ ଲାଇଫ୍‌ ସାର୍ଟିଫିକେଟ୍‌ ନୁହେଁ ବାର୍ଷିକ ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକ ନିୟୋଜନ ସମ୍ବନ୍ଧିତ ପ୍ରମାଣପତ୍ର ଦାଖଲର ସମୟ ସୀମା ମଧ୍ୟ ବଢ଼ାଇ ଦିଆଯାଇଛି। ଏହାକୁ ମଧ୍ୟ ମେ ୨୦୨୧ ମଧ୍ୟରେ ଦାଖଲ କରିବାକୁ କୋହଳ କରାଯାଇଛି। ପେନ୍‌ସନ୍‌ଭୋଗୀ ମେ’ ୨୦୨୧ ମଧ୍ୟରେ ନିକଟସ୍ଥ ବ୍ୟାଙ୍କ କିମ୍ବା ଟ୍ରେଜେରୀକୁ ଯାଇ ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ କରିପାରିବେ। ପ୍ରକାଶ ଯେ ପେନ୍‌ସନ୍‌ଭୋଗୀ ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ ନ କଲେ ପେନ୍‌ସନ୍‌ ବନ୍ଦ ହୋଇଯିବା ନିୟମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.