ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ଭଦ୍ରକରେ ମେଡିକାଲ କଲେଜ ପାଇଁ ପ୍ରସ୍ତାବ ଦେବାକୁ ନବୀନଙ୍କୁ କଲେ ଅନୁରୋଧ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଦୁଇଟି ପ୍ରସଙ୍ଗରେ ଅଲଗା ଅଲଗା ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାରେ କୌଣସି ଆଞ୍ଚଳିକ ମେଡିକାଲର ସୁବିଧା ନାହିଁ । ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ହେଲେ ଭଦ୍ରକ ବା ଆଖପାଖ ଅଞ୍ଚଳର ଲୋକେ ମେଡିକାଲ ସୁବିଧା ପାଇପାରିବେ ।ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦରକାରୀ ଆବଶ୍ୟକତା ପୂରଣ କରିବା ସହ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ଆବେଦନ କରନ୍ତୁ । କେନ୍ଦ୍ର ସରକାର ମେଡିକାଲ କଲେଜ ପ୍ରକଳ୍ପ ପାଇଁ ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ । ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚର ଦାୟିତ୍ୱ ନେବେ ବୋଲି ଚିଠିରେ ଲେଖିଛନ୍ତି ।
ସେହିପରି ଅନ୍ୟ ଏକ ଚିଠିରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକ୍ବୀଙ୍କୁ ଲେଖିଛନ୍ତି । ଭୁବନେଶ୍ୱରରେ ସ୍କୁଲ କିମ୍ବା କଲେଜ ପଢୁଥିବା ସଂଖ୍ୟାଲଘୁ ଛାତ୍ରୀଙ୍କ ପାଇଁ ଏକ ଛାତ୍ରାବାସ ନିର୍ମାଣ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ସଂଖ୍ୟାଲଘୁ ଛାତ୍ରଛାତ୍ରୀ ଓ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ପାଇଁ ବିଭିନ୍ନ ପ୍ରକଳ୍ପ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।