ୟାକୁ ହିଁ କୁହନ୍ତି ମଣିଷ ପଣିଆ: ରୋଗୀଙ୍କ ଦେହାନ୍ତ ପରେ ପୁଅ ହୋଇ ଶବ ସତ୍କାର କଲେ ଡାକ୍ତର

ସମ୍ବଲପୁର(କେନ୍ଯୁଜ୍): କାହାକୁ ସହାୟତା କରିବା ପାଇଁ ଆବଶ୍ୟକତା ନଥାଏ ଅର୍ଥର । ଆବଶ୍ୟକ ଥାଏ ତ ଗୋଟେ ଉଦାର ହୃଦୟର। ଆଉ ଏଭଳି ଉଦାର ହୃଦୟର ଲୋକେ ଆଜିର ସ୍ବାର୍ଥପର ଦୁନିଆରେ ବହୁତ କମ୍ । କିନ୍ତୁ ଏମିତି ଜଣେ ବ୍ଯକ୍ତି ଅଛନ୍ତି ଯାହାଙ୍କର ମୂଳ ଉଦେଶ୍ଯ ଗରିବ ଅସହାୟଙ୍କର ସେବା କରିବା ।

ଯେମିତିକି, ବୁର୍ଲା ଭୀମସାରର ଆବାସିକ ଡାକ୍ତର ତଥା ସମାଜ ସେବୀ ଡାକ୍ତର ଶଙ୍କର ରାମ ଚନ୍ଦାନୀ। ଯିଏ ପୁଣି ଥରେ ଚର୍ଚ୍ଚାରେ । କେତେବେଳେ ଗରିବଙ୍କ ପାଇଁ ଏକ ଟଙ୍କିଆ କ୍ଲିନିକ ତ କେତେବେଳେ ଅସହାୟ କୁଷ୍ଠ ରୋଗୀଙ୍କୁ କାନ୍ଧରେ ବୋହି ରାସ୍ତା ପାର କରେଇବା ପାଇଁ, ସବୁକାମରେପ୍ରସଂଶା ସାଉଁଟିଥିବା ରାମଚନ୍ଦାନୀ ଏବେ ପୁଣି ଦେଖାଇଛନ୍ତି ମାନବିକତା ।

ଜଣେ ଗରିବ ଅସହାୟ ମହିଳାଙ୍କ ପୁଅ ହୋଇ ସମ୍ପନ୍ନ କରିଛନ୍ତି ଶେଷକୃତ୍ୟ । ଯେଉଁଥି ପାଇଁ ସେ ପୁଣି ଚର୍ଚ୍ଚାରେ। ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲର ମେଡ଼ିସିନ ୱାର୍ଡରେ ୪ ବର୍ଷ ହେଲା ଚିକିତ୍ସିତ ହେଉଥିଲେ ପୁଷ୍ପାଞ୍ଜଳି ବାଗ । ଯାହାଙ୍କ ବୟସ ପାଖାପାଖି ୬୨ ବର୍ଷ ହେବ। ୨୦୧୮ ମସିହା ଜୁଲାଇ ୭ ତାରିଖରେ ସୋନପୁର ବିରାମହାରାଜପୁର ଥାନା ଅଞ୍ଚଳର ପୁଷ୍ପାଞ୍ଜଳି ବାଗଙ୍କୁ ପକ୍ଷାଘାତ ହେବାରୁ ତାଙ୍କ ପରିବାର ଲୋକେ ଭୀମସାରର କେଜୁଆଳିଟିରେ ଭର୍ତ୍ତି କରିଥିଲେ। ଏହା ପରେ ସେ ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହୋଇ ଆସୁଥିଲେ। ତେବେ ଏହାରି ଭିତରେ ଡାକ୍ତରଖରନରରେ ପୁଷ୍ପାଙ୍କର ରହିବା ୪ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ତାଙ୍କୁ ଥରେ ଦେଖା କରିବାକୁ ବି ଆସିନଥିଲେ।

ତେବେ ଏହି ୪ବର୍ଷ ମଧ୍ୟରେ ବୁର୍ଲା ମେଡ଼ିକାକୁ ସେ ନିଜର ଘର ଓ ଡାକ୍ତର , ନର୍ସ ମାନଙ୍କୁ ନିଜ ପରିବାର ବୋଲି ଭାବି ନେଇଥିଲେ। ଡାକ୍ତର ତଥା ନର୍ସ ମାନେ ମଧ୍ୟ ପୁଷ୍ପାଙ୍କର ସବୁ ଅବଶ୍ୟକତା ପୁରଣ କରିବା ସହ ତାଙ୍କର ସେବା କରି ଆସୁଥିଲେ। ତେବେ ଦୁଃଖର ବିଷୟ ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପୁଷ୍ପାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଆସିନଥିଲେ। ଯାହାଫଳରେ ବୁର୍ଲା ଭୀମସାର ମେଡ଼ିକାଲର ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ ପୁଷ୍ପାଙ୍କ ଶବକୁ ନେଇ ବୁର୍ଲା ବିଷ୍ଣୁ ମନ୍ଦିର ପଡ଼ାର ଶ୍ମଶାନ ଘାଟରେ ମୁଖାଗ୍ନି ଦେବା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

ତେବେ ଏହି ଘଟଣା ସମ୍ପର୍କରେ ଜାଣିବାପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଶଙ୍କର ଚନ୍ଦାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖାଲି ସେତିକି ନୁହେଁ ସମଗ୍ର ଅଞ୍ଚଳରେ ଡକ୍ଟର ଶଙ୍କର ରାମଚନ୍ଦାନୀଙ୍କୁ ପ୍ରଶଂସା କରିବା ସହିତ ଏଭଳି ଡାକ୍ତର ପାଇ ସେମାନେ ଖୁବ୍ ଧନ୍ଯ ବୋଲି କହିଛନ୍ତି।

ସମ୍ବଲପୁରରୁ ଶ୍ରବଣ କୁମାର ପତିଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.