ରାଜଧାନୀରେ ଡରାଉଛି ଡେଙ୍ଗୁ: ଏଣିକି ଗଳି କନ୍ଦିରେ ପଶି ମଶା ମାରିବ ଡ୍ରୋନ୍

ଡେଙ୍ଗୁ ମଶା ମାରିବ ଡ୍ରୋନ। ଗତବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ଡେଙ୍ଗୁ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରେ ମଶାଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ଷା ଦିନେ ମଶାଙ୍କ ଉତ୍ପାତ ଲୋକଙ୍କ ନିଦ ହଜାଇ ଦେଲାଣି । ଦୋକାନ ବଜାର, ରାସ୍ତା ଘାଟ, ଦିନ ହେଉ କି ରାତି, ଘର ବାହାରେ ହେଉକି ଭିତରେ ସବୁଠି ମଶା ଭଣ ଭଣ । ମଶାଙ୍କ ଉତ୍ପାତରେ ଅତିଷ୍ଠ ହେଲେଣୀ ରାଜଧାନୀବାସୀ । ଏବେ ମଶା ଦମନ ନେଇ ସବ ମହଲରୁ ନିନ୍ଦା ପରେ ପରେ ଆକ୍ସନ ମୋଡକୁ ଆସିଛି ବିଏମସି । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିଏମସି ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରିବ । ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାଶ ।

ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ। ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ। ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା। ସେହିପରି ସାପ୍ତାହିକ ଡ୍ରାଏ ଡେ ପାଳନ କରାଯାଉଛି।

ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜରିମାନା ଆଦାୟ କରିବ ବିଏମସି । ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବିଏମସି। ତେଣୁ ଜନସାଧାରଣ ମଶା ବଂଶ ବୃଦ୍ଧି ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରିଛି ବିଏମସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.