ଦୁଇ ବଖରା ଇନ୍ଦିରା ଆବାସ ଘରେ ଜଳୁଛି ୨ଟି ବଲବ୍‌ ସହ ଗୋଟିଏ ଫ୍ଯାନ୍‌, ହେଲେ ବିଦ୍ୟୁତ୍ ବିଲ୍‌ ଆସିଛି ଲକ୍ଷେ ୬୫ହଜାର ୮୭୬ ଟଙ୍କା

ଭଞ୍ଜନଗର(କେନ୍ୟୁଜ୍): କେବେ ଅଘୋଷିତ ବିଦ୍ୟୁତ୍ କାଟ୍‌ କୁ ନେଇ ତ , ଆଉ କେବେ ବିଭାଗର କିଛି କର୍ମଚାରୀଙ୍କ କାର୍ଯ୍ଯକଳାପକୁ ନେଇ । ପୁଣି କେବେ , ବିଦ୍ୟୁତ୍ ସଂକ୍ରାନ୍ତୀୟ ଭୁଲ୍‌-ଭଟକା କୁ ନେଇ ଜନ ଅସନ୍ତୋଷ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ଏହି କ୍ରମରେ ଏମିତି ଏକ ବିଦ୍ୟୁତ୍ ବିଲ୍‌ ବିଭ୍ରାଟ ଜନିତ ସମସ୍ଯା ନଜରକୁ ଆସିଛି। ଯାହା ଜଣେ ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ମନରେ ଛନକା ସୃଷ୍ଟି କରିବ।

ଯନ୍ତ୍ରକୁ ଦୋଷ ଦେବେ , ନା’ ଯନ୍ତ୍ରୀଙ୍କୁ । ଗୋଟି ଗୋଟି କରି ସମସ୍ତଙ୍କୁ ଗୁହାରୀ ଜଣାଇଛନ୍ତି , ହେଲେ କେହି ଶୁଣୁନାହାନ୍ତି । ଏବେ ଘର ବାରଣ୍ଡାରେ ମେଞ୍ଚାଏ ବିଦ୍ୟୁତ୍ ବିଲ୍‌ ଧରି ସମସ୍ଯା ସମାଧାନର ବାଟ ଖୋଜୁଛନ୍ତି । କିନ୍ତୁ ସେଥିରୁ ଗୋଟିଏ ବିଲ୍‌ , ତାଙ୍କର ଚିନ୍ତା ବଢାଇ ଦେଇଛି । ଇନ୍ଦିରା ଆବାସ ପାଇଥିବା ଦୁଇ ବଖରା ଘରେ ଜଳୁଛି ମାତ୍ର ଦୁଇଟି ବଲବ୍‌ ଏବଂ ଲାଗିଛି ଗୋଟିଏ ଫ୍ଯାନ୍‌ । ସେତକରେ ବିଦ୍ୟୁତ୍ ବିଲ୍‌ ଆସିଛି , ୧,୬୫,୮୭୬ ଟଙ୍କା । ଏ ହେଉଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଚଢିଆପଲ୍ଲୀ ଗାଁ ର ବାସିନ୍ଦା ପଙ୍କଜ ଗୈାଡଙ୍କ ସମସ୍ଯା।

ସ୍ୱାମୀଙ୍କ ମୃତ୍ୟୁ ପରେ , ଦୁଇ ଝିଅଙ୍କୁ ନେଇ ବହୁ ଦୁଃଖ-କଷ୍ଟରେ ଚଳୁଛନ୍ତି । ଅନ୍ଯର ମୂଲ ଲାଗିଲେ ଘରର ଚୁଲି ଜଳେ । ସରକାରଙ୍କ ପକ୍ଷରୁ , ଇନ୍ଦିରା ଆବାସ ଘର ଖଣ୍ଡିଏ ପାଇଛନ୍ତି । ବିପିଏଲ୍‌ ତାଲିକାର ଗ୍ରାହକ ଭାବେ , ଘରେ ବିଦ୍ୟୁତ୍ ସଂଯୋଗ ହୋଇଛି । ବିଦ୍ୟୁତ୍ ବ୍ଯବହାର କହିଲେ , ଦୁଇ ବଖରା କୋଠରୀରେ ମାତ୍ର ଦୁଇଟି ବଲବ୍‌ ଜଳୁଛି । ବେଳେବେଳେ ଗୋଟିଏ ଫ୍ଯାନ୍‌ ଲାଗୁଛି । ପ୍ରତି ମାସରେ ୧୦୦ ରୁ ୨୦୦ ଟଙ୍କା ଭିତରେ ବିଦ୍ୟୁତ୍ ବିଲ୍‌ ଆସେ । ନିୟମିତ ଭାବେ ପ୍ରତି ମାସରେ ଟଙ୍କା ପୈଠ କରିଆସୁଥିଲେ । ଏବେ ତାଙ୍କର ବିଦ୍ୟୁତ୍ ବିଲ୍‌ ଆସିଛି ଲକ୍ଷେ ପଞ୍ଚଷଠି ହଜାର ଟଙ୍କା । ଜଗନ୍ନାଥପ୍ରସାଦ , ବେଲଗୁଣ୍ଠା ଓ ଭଂଜନଗର ବିଦ୍ୟୁତ୍ କାର୍ଯ୍ଯାଳୟକୁ ଯାଇ ଯାଇ ଗତ ୪ ମାସ ହେଲା ଗୁହାରୀ ଜଣାଇଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନଥିବା ସେ ଅଭିଯୋଗ ଆଣିଛନ୍ତି ।

ଏ ଘଟଣା ଜାଣିବା ପରେ , ଜଗନ୍ନାଥପ୍ରସାଦ ସ୍ଥିତ ବିଦ୍ୟୁତ୍ କାର୍ଯ୍ଯାଳୟର ଅଧିକାରୀଙ୍କ ପ୍ରତିକ୍ରିୟା ନେଇଥିଲୁ । ବିଦ୍ୟୁତ୍ ବିଭାଗ ମଧ୍ୟ , ତରବରିଆ ଭାବେ , ପଙ୍କଜଙ୍କ ଘରେ ଲାଗିଥିବା ମିଟର ପାଖରେ ଆଉ ଏକ ପାର୍ଲଲ୍‌ ମିଟର ଲଗାଇଛି । ପୂର୍ବରୁ ଲାଗିଥିବା ମିଟର ଠିକ୍‌ କି ଭୁଲ୍‌ ସେନେଇ ଅନୁଧ୍ୟାନ ଆରମ୍ଭ କରିଛି । ଘଟଣାର ସତ୍ୟାସତ୍ୟ ସଂକ୍ରାନ୍ତରେ ବିଦ୍ୟୁତ୍ ବିଭାଗ ଯଦିଓ କିଛି କହୁନାହିଁ , ତଥାପି ମିଟର ଜନିତ ତ୍ରୃଟି ଏବଂ ବିଭାଗୀୟ ଦାୟିତ୍ବ ହୀନତା ହିଁ , ଏକମାତ୍ର କାରଣ ହୋଇଥିବା ଜଳ ଜଳ ହୋଇ ଜଣାପଡ଼ୁଛି । ଯଦି ଏହି ସମସ୍ଯାର ସମାଧାନ ସହ , ବିଦ୍ୟୁତ୍ ବିଲ୍‌ ରୁ ଲକ୍ଷାଧିକ ଟଙ୍କାର ସଂଶୋଧନ ନହୁଏ , ତା’ହେଲେ ବିଦ୍ୟୁତ୍ ବିଭାଗ କାର୍ଯ୍ଯାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ପଙ୍କଜା ଗୈାଡ ।

TPSODL ବିଦ୍ୟୁତ୍ ବିଭାଗ ଦାୟିତ୍ବ ନେବାପରେ , ବିଦ୍ୟୁତ୍ ସରବରାହ ଏବଂ ଉପଭୋକ୍ତାଙ୍କ ସମସ୍ଯା ଓ ବିଲ୍‌ ଜନିତ ତ୍ରୁଟି ସଜାଡିବା ପାଇଁ ଗୁରୁତ୍ବ ଦେଉଥିବା କୁହାଯାଉଛି । କିନ୍ତୁ ବାସ୍ତବ କ୍ଷେତ୍ରରେ ଯେ , ଏସବୁ କେତେଦୂର ସମାଧାନ ହେଉଛି , ତାହାର ଜ୍ୱଳନ୍ତ ଉଦାହରଣ ସାଜିଛି , ଏହି ଘଟଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.