ପିଲାଙ୍କୁ ବଞ୍ଚାଇବାକୁ ଯାଇ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଜୀବନ ଦେଲେ ବାପା-ମା’, ତଥାପି ବଞ୍ଚାଇ ପାରିଲେନାହିଁ
କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୩ ବର୍ଷର ପୁଅ ଖେଳୁ ଖେଳୁ ଘର ନିକଟରେ ଥିବା ଏକ କୂଅରେ ପଡ଼ିଗଲା। ନିଜ ସନ୍ତାନକୁ ଉଦ୍ଧାର କରିବାକୁ ଯାଇ ମାଆ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ। ଶେଷରେ ଉଭୟ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।
ସୂଚନା ଅନୁସାରେ ପର୍ଜଙ୍ଗ ଥାନା ଡିହଡୋଳ ଗାଁର ନବକିଶୋର ସାହୁଙ୍କ ସ୍ତ୍ରୀ ଜୟନ୍ତୀ ସାହୁ (୨୫) ନିଜ ବାପା ଘର ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ତୋରଡ଼ାନାଳି ଗାଁକୁ ଯାଇଥିଲେ। ସେଠାରେ ଗତକାଲି ମଧ୍ୟାହ୍ନରେ ତାଙ୍କ ୩ ବର୍ଷର ପୁଅ ପ୍ରିନ୍ସ ଘର ନିକଟରେ ଖେଳୁଥିଲା। ଖେଳୁଥିବାବେଳେ କୌଣସି କାରଣରୁ ସେ ନିକଟରେ ଥିବା କୂଅରେ ପଡ଼ିଯାଇଥିଲା। ଏହା ଜାଣିବା ପରେ ଜୟନ୍ତୀ ନିଜ ଛୁଆର ଜୀବନ ରକ୍ଷା ପାଇଁ କୂଅକୁ ଡେଇଁ ପଡ଼ିଥିଲେ। ବହୁ ସମୟ ଧରି ମା ଓ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜିଥିଲେ। ପରେ କୂଅ ଭିତରେ ପ୍ରିନ୍ସର ଶବ ଭାସୁଥିବା ଦେଖିଥିଲେ।
ପରିବାର ଲୋକ ଓ ଗ୍ରାମବାସୀ କୂଅରୁ ପ୍ରିନ୍ସର ମୃତଦେହ ଉଦ୍ଧାର କରିବାବେଳେ ମା’ ଜୟନ୍ତୀଙ୍କ ମୃତଦେହ ମଧ୍ୟ ପାଇଥିଲେ। ଖବର ପାଇ ମହାବିରୋଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପର୍ଜଙ୍ଗ ଡାକ୍ତରଖାନା ପଠାଇଛି। ଏ ନେଇ ପର୍ଜଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।
ବାପ,ପୁଅଙ୍କ ସଲିଳ ସମାଧି
ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବଡ଼ସାହି ବ୍ଲକ ମାଣତ୍ରି ଗାଁର ଗଣେଶ୍ବର ଦେହୁରୀ ଓ ତାଙ୍କର ୧୦ବର୍ଷର ପୁଅ ପିଙ୍କୁ ସ୍ଥାନୀୟ ଶିବ ମନ୍ଦିର ନିକଟସ୍ଥ ଜଳାଶୟକୁ ଗତକାଲି ଦିନ ୨ଟାରେ ଗାଧୋଇବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଯାଏ ଘରକୁ ନ ଫେରିବାରୁ ଲୋକେ ଖୋଜାଖୋଜି କରିଥିଲେ। ଜଳାଶୟ ପାଖରେ ବାଇକ୍ ଥିବାରୁ କାଳେ ପାଣିରେ ବୁଡ଼ିଯାଇଥିବେ ବୋଲି ସନ୍ଦେହ କରାଯାଇଥିଲା।
ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଖୋଜାଖୋଜି କରିଥିଲେ ମଧ୍ୟ ଉଦ୍ଧାର କରି ପାରି ନଥିଲେ। ତେବେ ସକାଳୁ ସ୍ଥାନୀୟ ଲୋକେ ପୁଣି ଖୋଜାଖୋଜି କରିବା ପରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ମୃତଦେହ ଉଦ୍ଧାର ବେଳେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା। ବାପପୁଅଙ୍କୁ କୁଣ୍ଢାକୁଣ୍ଢି ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।