ମହିଳା କ୍ରିକେଟର ରାଜଶ୍ରୀଙ୍କର ସ୍କୁଟିରୁ ମିଳିଲା ନୋଟବୁକ୍‌, ବାହାରିବ କି ସତ୍ୟ?

କେନ୍ୟୁଜ୍(ବ୍ୟୁରୋ): ରାଜଶ୍ରୀ … ସୁଇସାଇଡ୍‌ … ସସପେନ୍ସ । ମହିଳା କ୍ରିକେଟରଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ୧୧ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ ରାଜଶ୍ରୀ । ଆଜି ମିଳିଲା ମୃତଦେହ । କଟକ ଜିଲ୍ଲା ଖୁଣ୍ଟୁଣୀ ଅନ୍ତର୍ଗତ ଗୁରୁଡିଝାଟିଆ ଜଙ୍ଗଲରୁ ଝୁଲନ୍ତା ମୃତେଦହ ମିଳିଛି । ପ୍ରଥମେ ମିଳିଥିଲା ସ୍କୁଟି ଓ ହେଲମେଟ୍‌ । ରାଜଶ୍ରୀଙ୍କ ସ୍କୁଟିରୁ ମିଳିଛି ଏକ ନୋଟବୁକ୍‌ । ସେଥିରେ କଣ ଲେଖା ଅଛି ? ନୋଟ୍‌ବୁକ୍‌ ଖୋଲିବ କିି ମୃତ୍ୟୁ ରହସ୍ୟ ? ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତନାଘନା ତଦନ୍ତ କରିଛନ୍ତି । ଓଡ଼ିଶା ସିନିଅର ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରେ ଥିଲେ ରାଜଶ୍ରୀ । କଟକ ବଜ୍ରକବାଟି ସ୍ଥିତ ହୋଲେଟରେ ରହୁଥିଲେ । ଅନ୍ତିମ ୧୬ ଜଣିଆ ଦଳରେ ତାଙ୍କୁ ସୁଯୋଗ ମିଳି ନଥିଲା । ୧୧ ତାରିଖରେ ବାପାଙ୍କୁ ଭେଟିବାକୁ କହି ସ୍କୁଟିରେ ବାହାରିଥିଲେ ରାଜଶ୍ରୀ । ତାପରଠୁ ନିଖୋଜ ଥିଲେ । ରାଜଶ୍ରୀଙ୍କୁ ମୃତ୍ୟୁକୁ ନେଇ ଖୁଣ୍ଟୁଣୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି ପୋଲିସ ।

ଖେଳାଳି ଚୟନରେ ପାତରଅନ୍ତର ଅଭିଯୋଗ ଆଣିଛନ୍ତି ରାଜଶ୍ରୀଙ୍କ ପରିବାର ଲୋକ । ଷଡଯନ୍ତ୍ର କରି ଦଳରୁ ବାଦ ଦିଆଯାଇଥିବା କହିଛନ୍ତି । ଅଭିଯୋଗକୁ ଖଣ୍ଡନ କରିଛି ଓସିଏ ସିଇଓ ସୁବ୍ରତ ବେହେରା । ସେ କହିଛନ୍ତି, ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ । ବର୍ତ୍ତମାନ ପ୍ରଦର୍ଶନ ଓ ପୂର୍ବ ରେକର୍ଡ ଆଧାରରେ ଖେଳାଳି ଚୟନ କରାଯାଏ । ରାଜଶ୍ରୀଙ୍କଠାରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳି ବି ଟିମ୍‌ରୁ ବାଦ ପଡିଥିବା କହିଛନ୍ତି ।

ରାଜଶ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଠିଆ କରିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଆତ୍ମହତ୍ୟା ସନ୍ଦେହ କରାଯାଉଛି । ଯଦି ସୁଇସାଇଡ୍‌ କଲେ ତେବେ କାହିଁକି ? ମୃତ୍ୟୁ ପଛର ପ୍ରକୃତ କାରଣ କଣ ? କଟକ ସହରଠାରୁ ୨୦ କିଲୋମିଟ ଦୂର ଜଙ୍ଗଲକୁ ଯାଇ କାହିଁକି ଜୀବନ ହାରିଲେ ? ଗୁରୁଡିଝାଟିଆ ଜଙ୍ଗଲକୁ ଗଲେ କାହିଁକି ? ଏକା ଯାଇଥିଲେ ନା ସାଙ୍ଗରେ କେହି ଥିଲେ ସେଦିନ ? ଚୟନକୁ ନେଇ ସତରେ କଣ ମାନସିକ ଚାପରେ ଥିଲେ ରାଜଶ୍ରୀ ? ନା ଆଉ କିଛି କାରଣକୁ ନେଇ ଚାପରେ ଥିଲେ ? ଖେଳକୁ ନେଇ କୌଣସି ସମସ୍ୟା ଥିଲା କି ? ନା କିଛି ବ୍ୟକ୍ତିଗତ ସମସ୍ୟା ଥିଲା ? ପୂର୍ବରୁ କାହାକୁ କିଛି କହିଥିଲେ କି ରାଜଶ୍ରୀ ? ଶେଷ ଥର କାହା ସହ କଥା ହୋଇଥିଲେ ? ନୋଟ୍‌ବୁକରେ କଣ ଲେଖା ଅଛି ? ଏମିତି ଅନେକ ଅସମାହିତ ପ୍ରଶ୍ନର ରହସ୍ୟ ଭେଦିବା ପୋଲିସ ଆଗରେ ଚ୍ୟାଲେଞ୍ଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.