ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ନେଇ ଅଭିଯୋଗ ପରେ ସ୍ୱାମୀ ଗିରଫ, ବେସାହାରା ୩ ଶିଶୁ

ଯାଜପୁର (କେନ୍ୟୁଜ): ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ହୋଇଛି ଗିରଫ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ସୁଭଦ୍ରାପୁର ମୁଣ୍ଡା ସାହିରେ। ଗତକାଲି ବିଳମ୍ବିତ ରାତିରେ ସାହିର ରବି ପିଙ୍ଗୁଆଙ୍କ ସ୍ତ୍ରୀ କୋଇଲି ଟୁଡୁଙ୍କର ମୃତ୍ୟୁ ହୋଇଛି। ତେବେ ମହିଳାଙ୍କ ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଝାଟି ଲାଗି ଏଭଳି କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

jajpur.

ଏପଟେ ଝିଅକୁ ପିଟି ପିଟି ମାରିଦେଇଥିବା ମୃତ କୋଇଲିଙ୍କ ମା’ ଆଜି ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି। ଗତ ସପ୍ତାହ ତଳେ କୋଇଲିକୁ ରବି ବାଡ଼ାବାଡ଼ି କରିଥିବା ନେଇ ପରିବାର ଲୋକେ ଖବର ପାଇଥିଲେ। ସ୍ୱାମୀ ରବି ମଦ ପିଇ କାମରୁ ଫେରି କୋଇଲିକୁ କୁଆଡେ ନିସ୍ତୁକ ମାଡ଼ ମାରିଥିଲା। ଏଥିରେ କୋଇଲି ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ହେବା ପରେ କୋଇଲିର ଆବଶ୍ୟକ ଚିକିତ୍ସା କରାଯାଇନଥିବାରୁ ତାର ମୃତ୍ୟୁ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ସ୍ୱାମୀ ରବିକୁ ଗିରଫ କରିଛି। ତେବେ ମୃତ ମହିଳାଙ୍କ ମା’ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ଧର୍ମଶାଳା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ମୃତ କୋଇଲିଙ୍କର ୩ଟି ଛୋଟ ପିଲା ଅଛନ୍ତି।

ସେଥିମଧ୍ୟରୁ ଜଣେ ୫ବର୍ଷର ପୁଅ, ଆଉ ଜଣେ ୩ବର୍ଷର ପୁଅ ଓ ଏକ ବର୍ଷର ଝିଅ ରହିଛି। ତେବେ ଦିନ ମଜୁରିଆ ଭାବେ କାମ କରି ପାଲ ତଳେ ରହି ଆସୁଥିବା ଏହି ପରିବାରରେ ମାର ମୃତ୍ୟୁ ସହ ବାପା ଗିରଫ ହେବା ପରେ ଏହି ୩ଜଣ ଶିଶୁ ସମ୍ପୂର୍ଣ ବେସାହାରା ହୋଇ ପଡିଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.