Below header

ଲଘୁଚାପ ବର୍ଷାରେ ରାଜ୍ଯର ବିଭିନ୍ନ ନଦୀରେ ବନ୍ଯା ପରିସ୍ଥିତି

ଭୁବନେଶ୍ବର : ଲଘୁଚାପ ବର୍ଷାପରେ ବୈତରଣୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ପରେ ଜଳସ୍ତର ବଢିବାରେ ଲାଗିଛି । ନଦୀର ଆଖୁଆପଦାରେ ବିପଦ ସଙ୍କେତ ୧୭ ଦଶମିକ ୮୩ ଥିଲା ବେଳେ ଏବେ ୧୭ ଦଶମିକ ୭୯ ଉପରେ ଜଳ ପ୍ରବାହିତ ହେଉଛି । ଫଳରେ  ଭଦ୍ରକ ଜିଲ୍ଲାର ଭଣ୍ଡରୀପୋଖରୀ ଓ ଧାମନଗର ବ୍ଳକର ଲୋକଙ୍କ ମଧ୍ୟରେ ଛନକା ପଶିଛି । ସେପଟେ ଯେ କୈଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖାଦ୍ୟ ପଦାର୍ଥ, ଔଷଧ ମହଜୁଦ ସହ ଡାକ୍ତରୀ ଟିମ ତୟାର ଅଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଲଘୁଚାପ ବର୍ଷାପରେ ବେହାଲ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦ ବ୍ଲକ । ଲଗାଣ ବର୍ଷାରେ ୩୦୦ରୁ ଅଧିକ ଘର ଭାଙ୍ଗି ମାଟିରେ ମିଶିଛି । ବ୍ରହ୍ମଗିରି ବ୍ଲକର ୨୫ ପଞ୍ଚାୟତର ଲୋକ ଜଳବନ୍ଦି ଅବସ୍ଥାରେ ଅଛନ୍ତି । ଧାନ କ୍ଷେତରେ ବନ୍ୟାଜଳ ଲହଡି ମାରୁଛି । ଖରିଫ ରୁତୁରେ ଚାଷ ହୋଇଥିବା ୮ ଶହ ହେକ୍ଟର ଧାନ ଚାଷ ଉଜୁଡି ଯାଇଛି । ନିଆଜପୁର ରାସ୍ତାରେ ଏବେ ବି ପାଣି ଚାଲିଛି । ବେଣ୍ଟପୁର ଓ ନିଆଜପୁର ପଞ୍ଚାୟତର ଚନ୍ଦ୍ରଉଦୟପୁର, ଶିକାରୀସାହି ପାଣିରେ ବୁଡି ରହିଛି । ପ୍ରଶାସନ ପକ୍ଷରୁ ୫ ଶହ ବିପନ୍ନଙ୍କୁ ବିଭିନ୍ନ ବିଦ୍ୟାଳୟ ଓ ଆଶ୍ରୟସ୍ଥଳିରେ ରଖାଯାଇଛି । ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଗତ ଶୁକ୍ରବାର ଓ ଶନିବାର ବ୍ରହ୍ମଗିରି ବ୍ଳକରେ ୪୫୪ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ସେହିପରି କୃଷ୍ଣ ପ୍ରସାଦ ବ୍ଲକର ୭ଟି ପଞ୍ଚାୟତ ପାଣି ଘେରରେ ରହିଛି । ଅରଖକୁଦା, ସାନପାଟଣା, ସିପବନ୍ତସାହି,ଗବକୁଣ୍ଡ, ମିର୍ଜାପୁର ଗାଁରେ ଜୁଆର ପାଣି ପଶିଛି । ୩ ଦିନ ହେଲା ୩୨ଟି ପଞ୍ଚାୟତରେ ବିଦ୍ୟୁତ ସେବା ବନ୍ଦ ରହିଛି । ମୋବାଇଲ ଓ ଟେଲିଫୋନ ବି କାମ କରୁନାହିଁ । ସେପଟେ କ୍ଷୟକ୍ଷତିର ଆକଳନ ପାଇଁ ଆରଆଇ ଓ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କଟକ ବଡ଼ମ୍ବା ଜିଲ୍ଲାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ପଣିଲା ବନ୍ୟାଜଳ। ମନ୍ଦିର ଭିତରେ ୪ ଫୁଟର ବନ୍ୟାଜଳ ଜମି ରହିଛି। ଫଳରେ ମାଆଙ୍କ ପ୍ରତିମାକୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି। ହୁଳୁହୁଳା ପୋଲ ଉପରେ ମଧ୍ୟ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଫଳରେ ଯାଜପୁର, କଟକ,ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ  SRC ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର ଓ ଥଇଥାନ ପାଇଁ ଟିମ୍‌କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍‌ ଖୋଲା ରଖିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ବିକଳ୍ପ ସାଟେଲାଇଟ୍‌ ଫୋନ୍‌ ରଖିବା ସହ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.