Below header

ଓଡ଼ିଶାର ନିଆରା ଘଡି ପଥୁଲି ପରମ୍ପରା

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଘରେ ଘରେ ପାଳିତ ହୋଇଛି ଘଡି ପଥୁଲି ପରମ୍ପରା, ଆଜିର ଦିନରେ ଚଷା ପୁଅ ଅକ୍ଷି ମୁଠି କରିଥାଏ ଅନୁକୂଳ

ଆଜି ହେଉଛି ଓଡ଼ିଶାର କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଥାଏ । ଏହି ଦିନ ମାଟି ମାଆକୁ ପୂଜା କରି ଅକ୍ଷି ମୁଠି ଅନୁକୂଳ କରିଥାଏ ଚଷା ପୁଅ । କାହିଁ କେଉଁ କାଳରୁ ବିଶ୍ବାସ ରହିଛି ଯେ, ଏହି ଦିନ ଜମିରେ ବିହନ ମୁଠାଏ ପକାଇ ପୂଜା କରି ଚାଷବାସ କାମ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ତେଣୁ ଏହି ମାନ୍ୟତାକୁ ବିଶ୍ବାସ କରି ଅକ୍ଷୟ ତୃତୀୟାର ଅମୃତ ବେଳାରେ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । କୃଷକ ଭାଇମାନେ ବେଶ ଧୁମଧାମରେ ଏହି ପର୍ବକୁ ପାଳନ କରିଥାଆନ୍ତି । ଏଦିନ କୃଷକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ । ସେଠାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ସେହି ପ୍ରସାଦକୁ କିଆରୀର ଐଶାନ୍ୟ କୋଣରେ ପୋତି ହଳ ବୁଲାଇ ବିହନ ବୁଣିଥାଏ । ଏହାକୁ ଅକ୍ଷି ମୁଠି କୁହାଯାଏ ।

ଆଜି ପବିତ୍ର ଅକ୍ଷୟତୃତୀୟା ଅବସରରେ ଘରେ ଘରେ ପରମ୍ପରା ଅନୁଯାୟୀ ଘଡି ପଥୁଲି ବସାଯାଇ ପୂଜାର୍ଚ୍ଚନା କରାଯାଇଛି।ଏହି ପ୍ରଥା ବହୁ ଦିନରୁ ଚାଲି ଆସୁଛି।ରାଜା ମହାରାଜାଙ୍କ ଅମଳରେ ଘଡି ପଥୁଲିରେ ସୁବର୍ଣ୍ଣ ମୁଦ୍ରା ଦାନ ଦିଆଯାଉଥିଲା। ଆଜି ଘଡିରେ ଚୂଡାଭଜା, ଖଇ, ପଥୁଲିରେ ଖଣ୍ଡଘୋଡା, ବିଭିନ୍ନ ଫଳ, ଖେଳନା ପ୍ରଭୃତି ପୂଜା କରାଯାଇ ପିଲାମାନଙ୍କୁ ବଣ୍ଟନ କରାଯାଇଥିଲା।ପିଲାମାନଙ୍କର ଶୁଭ ମନାସି ଏହି ପୂଜା ବାପା ମାଆ ମାନେ କରିଥାନ୍ତି ବୋଲି ବିଦିତ ଅଛି। ଆଜି ମଧ୍ୟ ଅକ୍ଷୟତୃତୀୟା ଅବସରରେ ପୁରୀ ଉପକଣ୍ଠରେ ଥିବା ବିଭିନ୍ନ ଚାଷ ଜମିରେ ପାରମ୍ପରିକ ରୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ବିଲରେ ମୁଠି ଅନୁକୂଳ କରାଯାଇଥିଲା।ଆଜିର ଏହି ଦିନରେ ମୁଠି ଅନୁକୂଳ କରାଗଲେ ଭଲ ଫସଲ ହେବ ବୋଲି ମାନ୍ୟତା ଅଛି।

ବାଇଟ୍‌ ୧- ପଣ୍ଡିତ ସୂର୍ଯ୍ଯନାରାୟଣ ରଥଶର୍ମା,ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ

କୁହାଯାଏ, ମନୁଷ୍ୟକୁ ପାପରୁ ମୁକ୍ତ କରିବା ଲାଗି ମାତା ଗଙ୍ଗା ଅକ୍ଷୟ ତୃତୀୟା ଦିନ ସ୍ବର୍ଗରୁ ଧରାପୃଷ୍ଠରେ ଧରାବତରଣ କରିଥିଲେ । ତେବେ ଏହାକୁ ନେଇ ଅନ୍ୟ ଏକ ପୌରାଣିକ କଥା ଧନର ଦେବ କୁବେରଙ୍କ ସହ ଜଡ଼ିତ । କୁହାଯାଏ, କୁବେରଙ୍କ ଧନ କେବେ ବି ଶେଷ ହୁଏନାହିଁ ଏଥିଲାଗି ତାଙ୍କୁ ସ୍ବର୍ଗ ଲୋକର ମାଲିକ ଭାବରେ ବିବେଚନା କରାଯାଇଥାଏ । ଶିବପୁରୀ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜା କରିବା ପରେ କୁବେର ଏହିଦିନ ସମସ୍ତ କୁବେର ସମ୍ପତ୍ତି ପ୍ରାପ୍ତ କରିଥିଲେ । ଖାଲି ଏତିକି ନୁହେଁ, ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ଓ କୁବେରଙ୍କୁ ଧନର ରକ୍ଷକ କରାଯାଇଥିଲା ।

ଅକ୍ଷୟ ତୃତୀୟା ସହ ଦେବୀ ଅନ୍ନପୂର୍ଣ୍ଣାଙ୍କୁ ନେଇ ମଧ୍ୟ ଏକ କାହାଣୀ ରହିଛି । ବିଶ୍ବାସ ରହିଛି ଯେ, ଏହି ଦିନ ଦେବୀ ଅନ୍ନପୂର୍ଣ୍ଣା ଜନ୍ମଗ୍ରହଣ କରିଥିଲେ । ଦେବୀ ଅନ୍ନପୂର୍ଣ୍ଣାଙ୍କୁ ମାତା ପାର୍ବତୀଙ୍କ ଅବତାର ଭାବରେ ବିବେଚନା କରାଯାଇଥାଏ । କୁହାଯାଏ, ଯେବେ ଦେବ ଦେବ ମହାଦେବ ଭିକାରୀ ରୂପରେ ତାଙ୍କ ନିକଟକୁ ଯାଇଥିଲେ, ,ସେ ସମୟରେ ଦେବୀ ଅନ୍ନପୂର୍ଣ୍ଣା ନିଜେ ଭଗବାନ ଶିବଙ୍କୁ ଖାଦ୍ୟ ଖାଇବାକୁ ଦେଇଥିଲେ । ତେବେ ପବିତ୍ର ଅକ୍ଷୟ ତୃତୀୟା ସହ ଜଡ଼ିତ ଏହି କାହାଣୀ ଏହି ଦିନର ମହତ୍ତ୍ବକୁ ଦ୍ବିଗୁଣିତ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.