‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ବନକ୍ଷତ୍ର ଉତ୍ସବରେ ଗୋଆ ରାଜ୍ୟପାଳ, ସମ୍ମାନିତ ହେଲେ ପଦ୍ମଶ୍ରୀ ହଳଧର ନାଗ
ଆଜି ରବିବାର ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଚତୁର୍ବିଂଶ ଏବଂ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଛି। ଗୋଆ ରାଜ୍ୟପାଳ ପି.ଏସ୍. ଶ୍ରୀଧରନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ରାଜ୍ୟପାଳ ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଇତିହାସ, ଐତିହ୍ୟ ଓ ସଂସ୍କୃତି ହେଉଛି ଜୀବନ୍ତ । ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା ।
‘ଭୁବନେଶ୍ୱର (କେନ୍ୟୁଜ): ଆଜି ରବିବାର ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଚତୁର୍ବିଂଶ ଏବଂ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ବହୁ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇଥିଲେ। ଗୋଆ ରାଜ୍ୟପାଳ ପି.ଏସ୍. ଶ୍ରୀଧରନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ରାଜ୍ୟପାଳ ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଇତିହାସ, ଐତିହ୍ୟ ଓ ସଂସ୍କୃତି ହେଉଛି ଜୀବନ୍ତ । ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା । ଓଡ଼ିଆ ସାହିତ୍ୟର ଏକ ସମୃଦ୍ଧ ଇତିହାସ ରହିଛି । ସାରଳା ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଫକିର ମୋହନ ସେନାପତିଙ୍କ ଭଳି ମହାନ ସାହିତ୍ୟିକ ଓ କବି ଓଡ଼ିଆ ଭାଷାକୁ ସମୃଦ୍ଧ କରିଯାଇଛନ୍ତି ।
ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଚାରି ଜଣ ଓଡ଼ିଆ ସାହିତ୍ୟିକ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବା କମ୍ କଥା ନୁହେଁ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ । ବର୍ତ୍ତମାନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲେ ମଧ୍ୟ ଏବେ ବି ପତ୍ରିକା ଓ ସମ୍ବାଦପତ୍ରର ଗୁରୁତ୍ୱ ରହିଛି । ମାତୃଭାଷାରେ ଜଣେ ବ୍ୟକ୍ତି ତାର ଭାବନାକୁ ଠିକ୍ ଭାବେ ପରିପ୍ରକାଶ କରିବା ସହ ଠିକ୍ ଭାବେ ଗ୍ରହଣ କରିପାରିଥାଏ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରାଯିବା ଉଚିତ । ଏଥିପାଇଁ ଆମର ଜାତୀୟ ଶିକ୍ଷାନୀତି ୨୦୨୦ରେ ମାତୃଭାଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ସମ୍ମାନିତ ଅତିଥି ଭାବରେ ଭୋପାଳସ୍ଥିତ ରବୀନ୍ଦ୍ରନାଥ ଟାଗୋର ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ସ୍ଥିତ ଡ. ସିଭିରମଣ ବିଶ୍ୱବିଦ୍ୟାଳୟର କୁଳାଧିପତି ଡ. ସନ୍ତୋଷ ଚୌବେ ଯୋଗ ଦେଇ କହିଥିଲେ , ଓଡ଼ିଆ ଭାଷା ସାହିତ୍ୟରେ ପରମ୍ପରା ଓ ଆଧୁନିକତା ଉଭୟ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସମୟରେ ଆଂଚଳିକ ଭାଷାରେ ଅନେକ ଭଲ କାମ ହେଉଛି । ଏହା ଆଗକୁ ଆହୁରି ବଢିବ ବୋଲି ଆମର ଆଶା ଓ ବିଶ୍ୱାସ । ସମସ୍ତ ଭାରତୀୟ ଭାଷା ମଧ୍ୟରେ ସମ୍ମାନ ଓ ସମନ୍ଵୟ ରହିବା ଉଚିତ ବୋଲି ସେ କହିଥିଲେ । ପ୍ରତ୍ୟେକ ଆଂଚଳିକ ଭାଷା ଅନ୍ୟ ଭାଷାର ସାହିତ୍ୟ ଅନୁବାଦ ହେବା ଉଚିତ । ଫଳରେ ଆମେ ସମସ୍ତେ ସମସ୍ତଙ୍କର ସଂସ୍କୃତି ଓ ପରମ୍ପରା ତଥା ଐତିହ୍ୟ ଭାଷା ସାହିତ୍ୟକୁ ଜାଣିପାରିବା ବୋଲି ଶ୍ରୀ ଚୌବେ କହିଥିଲେ ।
ସେହିପରି କାଦମ୍ବିନୀ ସମ୍ମାନ-୨୦୨୩ରେ ସମ୍ମାନିତ ବିଶିଷ୍ଟ ସମ୍ବଲପୁରୀ କବି ପଦ୍ମଶ୍ରୀ ହଳଧର ନାଗ କହିଥିଲେ , ଓଡ଼ିଆ ମାଟିର ଏକ ମହକ ଅଛି । ଆମର କବି, ଲେଖକ ଓ ସାହିତ୍ୟିକଙ୍କ ପ୍ରତି ସମଗ୍ର ବିଶ୍ୱର ସମ୍ମାନ ରହିଛି । ସାହିତ୍ୟ ସବୁବେଳେ ସମାଜରେ ପରିବର୍ତ୍ତନ ଆଣିବା ସହ ମଣିଷ ଜୀବନରେ ପ୍ରଭାବ ପକାଇବା ଉଚିତ । ଏଥିରେ ଭାଷା ବାଧକ ନୁହେଁ । ତେଣୁ ଯେଉଁ ଭାଷାରେ ଓ ଯେଉଁ ଭଳି ଭାବେ ଲେଖ ତାହାକୁ ଯେଭଳି ସମସ୍ତେ ବୁଝିପାରୁଥିବେ ସେଭଳି ହେବା ଉଚିତ । ଚଳିତବର୍ଷ ‘କାଦମ୍ବିନୀ ଗଳ୍ପ ପୁରସ୍କାର-୨୦୨୩’ ଅରବିନ୍ଦ ରାୟଙ୍କୁ ପ୍ରଦାନ କରାଯାଇଥିବା ବେଳେ ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘କାଦମ୍ବିନୀ କବିତା ପୁରସ୍କାର-୨୦୨୩’, ସ୍ୱରାଜ ବାରିକ ଓ ସନ୍ଲିସା ପଟେଲଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ପୁରସ୍କାର-୨୦୨୩’, ବିନ୍ଧ୍ୟ୍ରବାସିନୀ ଜେନାଙ୍କୁ ‘କାଦମ୍ବିନୀ ଆମ ରୋଷେଇ ପୁରସ୍କାର-୨୦୨୩’, ଇନ୍ଦୁମତୀ ରାୟ ଓ ମେଜର ଡ. ସୁମିତ୍ରା ମିଶ୍ରଙ୍କୁ ‘କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା-୨୦୨୩’ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ, ଡ. ଇତି ସାମନ୍ତଙ୍କ ରଚିତ ମନ୍ମୟ-ପ୍ରବନ୍ଧ ସଂକଳନ ‘ମହୀୟସୀ, ଗରୀୟସୀ: ଭାରତୀୟ ନାରୀପ୍ରତିମା’, ପ୍ରବନ୍ଧ ସଂକଳନ ‘ବାମା ପ୍ରସଙ୍ଗ ଓ ଅନ୍ୟାନ୍ୟ’ ଏବଂ ଲଘୁକଥା ସଂକଳନ ‘କଥାସ୍ରୋତ’ର ଉନ୍ମୋଚିତ ହୋଇଥିଲା । କାଦମ୍ବିନୀ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାଦମ୍ବିନୀ ସମ୍ପାଦକ ଡ. ଇତି ସାମନ୍ତ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।