ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଲାଗିଲା ବଡ଼ ଝଟକା, ୧୯୯୯ରୁ ୨୦୧୫ ପର୍ଯ୍ୟନ୍ତ ବାକି ରଖିଥିବା ୪୨୩୪ କୋଟି ଟଙ୍କା ଗ୍ରୀଡ଼କୋକୁ ଦେବ

କେନ୍ୟୁଜ୍(ବ୍ୟୁରୋ): ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟାରୀ କମିଶନଙ୍କ ବଡ଼ ନିର୍ଦ୍ଦେଶନାମା। ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଲାଗିଲା ବଡ଼ ଝଟକା। ଗ୍ରୀଡ଼କୋ ଦାବି କରିଥିବା ୪୨୩୪ କୋଟି ଟଙ୍କା ରିଲାଏନ୍ସ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଇଆରସି। ୧୯୯୯ ମସିହା ଠାରୁ ୨୦୧୫ ମଧ୍ୟରେ ଏହି ଟଙ୍କା ଗ୍ରୀଡ଼କୋର ବକେୟା ରହିଥିଲା।

୧୯୯୯ ମସିହା ପରେ ରାଜ୍ୟରେ ଜନସାଧାରଣଙ୍କୁ ଉନ୍ନତମାନର ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ବିଦ୍ୟୁତ ବିତରଣର ଘରୋଇକରଣ କରାଯାଇଥିଲା। ରିଲାଏନ୍ସ ରାଜ୍ୟରେ ବିତରଣ ଦାୟିତ୍ୱ ନେଇଥିଲା। ଗ୍ରୀଡ଼କୋ ପାୱାର କିଣି ରିଲାଏନ୍ସ କମ୍ପାନୀର ୱେସ୍କୋ, ନେସ୍କୋ ଓ ସାଉଥକୋ ଜରିଆରେ ଲୋକଙ୍କ ନିକଟରେ ବିଦ୍ୟୁତ ଶକ୍ତି ପହଞ୍ଚାଇଥିଲା। କିନ୍ତୁ ଚୁକ୍ତିନାମା ଅନୁଯାୟୀ ଲୋକଙ୍କ ପାଖରେ ସଠିକ ବିଦ୍ୟୁତ ସେବା ପହଁଚି ପାରିଲା ନାହିଁ। କେବଳ ସେତିକି ନୁହେଁ ବୈଦ୍ୟୁତିକ ସାମଗ୍ରୀର ମରାମତି କିମ୍ବା ଉପଯୁକ୍ତ ଯତ୍ନ ନେଲା ନାହିଁ ସଂପୃକ୍ତ କମ୍ପାନୀ।

ଅନ୍ୟପଟରେ ଗ୍ରୀଡ଼କୋର ବକେୟା ଟଙ୍କା ରିଲାଏନ୍ସ ଉପରେ ଗଡ଼ି ଗଡି ଚାଲିଲା। ଫଳରେ ଗ୍ରୀଡ଼କୋ ରିଲାଏନ୍ସ କମ୍ପାନୀ ସହ ବିତରଣ ଲାଇସେନ୍ସକୁ ୨୦୧୫ ମାର୍ଚ୍ଚ ମାସରେ ବାତିଲ କରିଥିଲା। ରିଲାଏନ୍ସ କମ୍ପାନୀର ୨୦୧୫ ମାର୍ଚ୍ଚ ସୁଦ୍ଧା ୪୨୩୪ କୋଟି ଟଙ୍କା ଗ୍ରୀଡ଼କୋକୁ ଦେବାର ବକେୟା ରହିଥିଲା। ଏହି ବକେୟା ମଧ୍ୟରେ ୱେସ୍କୋର ବାକି ୧୭୮୯ କୋଟି ଟଙ୍କା, ନେସ୍କୋର ବାକି ୧୪୪୩ କୋଟି ଟଙ୍କା ଓ ସାଉଥକୋର ବାକି ୧୦୦୧ କୋଟି ଟଙ୍କା ରହିଛି। ଏବେ ଏହି ତିନି କମ୍ପାନୀର ବାକି ଟଙ୍କା ୪୨୪୩ କୋଟି ଟଙ୍କା ରିଲାଏନ୍ସ କମ୍ପାନୀ ଗ୍ରୀଡ଼କକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟାରୀ କମିଶନ।

You might also like