ବ୍ରଜରାଜନଗର ଲଢେଇ ପାଇଁ ମୈଦାନ ପ୍ରସ୍ତୁତ, କାହାର ଦମ୍‌ କେତେ? ଫଳାଫଳରୁ ସ୍ପଷ୍ଟ ହେବ

କେନ୍ୟୁଜ୍(ବ୍ୟୁରୋ): ବ୍ରଜରାଜନଗର ମୈଦାନରେ ତିନି ଯୋଦ୍ଧା, ଅଳକା-ରାଧାରାଣୀ-କିଶୋର। ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପୂର୍ବରୁ ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ପର୍ଯ୍ୟବେକ୍ଷକଙ୍କଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଦୁଇ ହେଭିୱେଟ୍‌ ମନ୍ତ୍ରୀ ନବୀନ ନିବାସ ପହଞ୍ଚିବା ପରେ ଦଳ ଅଳକାଙ୍କ ନାଁ ବିଧିବଦ୍ଧ ଘୋଷଣା କରିଥିଲା। ଏହାପରେ ଦଳର ବରିଷ୍ଠ ନେତା ଅଳକାଙ୍କ ବାସଭବନକୁ ଯାଇ ତାଙ୍କୁ ଟିକେଟ ପ୍ରଦାନ କରିଥିଲେ। ସେହିପରି କଂଗ୍ରେସ କିଶୋର ପଟେଲଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ବିଜେପି ରାଧାରାଣୀ ପଣ୍ଡାଙ୍କ ନାଁ ଉପରେ ମୋହର ମାରିସାରିଛିି।

brajaraj

 ପଶ୍ଚିମ ଓଡ଼ିଶାର କାହାର ଦମ୍‌ କେତେ। ଉପ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହେବ। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବ୍ରଜରାଜନଗରର ସମସ୍ତ ୪ଟି ଆସନରେ ବାଜିମାତ୍‌ କରିଥିଲା। ସେହିପରି ୨ଟି ଯାକ ପୌର ପରିଷଦରେ ମଧ୍ୟ ଭଲ ଫଳାଫଳ ପ୍ରଦର୍ଶନ କରିଥିଲା। ପଞ୍ଚାୟତ ଓ ପୌର ନିର୍ବାଚନରେ ଅନ୍ୟ ଦଳ ତୁଳନାରେ ୫୬ ହଜାରରୁ ଅଧିକ ଭୋଟ ପାଇଛି ବିଜେଡି। ସାଙ୍ଗଠନିକ ସ୍ଥିତି ମଜବୁତ ରହିଛି। ବିଧାୟକ, ମନ୍ତ୍ରୀଙ୍କୁ ପଞ୍ଚାୟତ ଓ ବ୍ଲକୱାରୀ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏବେ ଉପ ନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟରେ ଦଳ ବିଜୟୀ ହେବ ବୋଲି ବିଜେଡି କହିଛି। ସେପଟେ ବିଜେପି କହିଛି, ରାଧାରାଣୀ ପଣ୍ଡା ପୂର୍ବରୁ ବିଧାୟକ ଭାବେ ବ୍ରଜରାଜନଗରରୁ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ବହୁ କମ୍‌ ମାର୍ଜିନ ହାରିଥିଲେ। ତେଣୁ ବିଜେପି ଭଲ ପ୍ରଦର୍ଶନ କରିବ। କଂଗ୍ରେକ ପ୍ରାର୍ଥୀ କିଶୋର ପଟେଲ ମଧ୍ୟ ଜଣେ ଟାଣୁଆ ନେତା। ପୂର୍ବରୁ ମନ୍ତ୍ରୀ ଓ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି। ଉପ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆବଶ୍ୟକ ପଡ଼ିଲେ ଭର୍ଚୁଆଲ ମାଧ୍ୟମରେ ନବୀନ ପ୍ରଚାର କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.