ଏଣିକି ବିନା ହେଲମେଟ ବାଇକ୍ ଚାଳକଙ୍କୁ ନିସ୍ତାର ନାହିଁ: ଲାଇସେନ୍ସ ବାତିଲ୍ ସହ ଜବତ ହେବ ଗାଡି

କଟକ(କେନ୍ୟୁଜ୍) : ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେଲମେଟ୍ ଚେକିଂ ହେବ କଡ଼ାକଡ଼ି। ଏଣିକି ବିନା ହେଲମେଟରେ ରାସ୍ତାକୁ ଆସୁଥିବା ଅମାନିଆ ବାଇକ୍ ଚାଳକଙ୍କୁ ମିଳିବ ଦଣ୍ଡ। ରାଜ୍ୟ ପରିବହନ ବିଭାଗ ଚଳିତ ୧୬ ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରୁଛି। ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗାଡ଼ି ଜବତ କରିବାକୁ ରାଜ୍ୟର ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଚଢ଼ଉ କାର୍ଯ୍ୟକ୍ରମରେ ଅତିରିକ୍ତ ଆରଟିଓ(ଏନଫୋର୍ସମେଣ୍ଟ)/ଅତିରିକ୍ତ ଏମଭିଆଇ/କନିଷ୍ଠ ଏମଭିଆଇ/ଟ୍ରାଫିକ ଇନସ୍ପେକ୍ଟର/ଟ୍ରାଫିକ ଏସଆଇ ସାମିଲ ହେବେ। ଆରଟିଓ ଏବଂ ଏମଭିଆଇ ଏହି ଚଢ଼ଉକୁ ଅନୁଧ୍ୟାନ କରିବେ। ଧାର୍ଯ୍ୟ ତାରିଖ ପରେ ଆରଟିଓ ଵାରି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ କେତେ ସଂଖ୍ୟାର ଅମାନିଆ କେଉଁ ସ୍ଥାନରେ ଧରାପଡ଼ିଲେ, କେଉଁମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି, କେତେ ଜଣଙ୍କ ବିରୋଧରେ ଚାଲାଣ ଜାରି କରାଯାଇଛି, ସେ ସମ୍ପର୍କିତ ଏକ ରିପୋର୍ଟ କମିସନରଙ୍କ ନିକଟରେ ଦାଖଲ କରିବାକୁ ପରିବହନ କମିସନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେଲମେଟ୍ ଚେକିଂ କଡ଼ାକଡ଼ି କରାଯିବାକୁ ପରିବହନ କମିସନର ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ଉ ସକାଳ ୯ଟାରୁ ଦିନ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଚଢ଼ଉ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ଆରଟିଓ ପୁଲିସ ସହାୟତା ପାଇଁ ଜିଲ୍ଲା ସ୍ତରରେ ଏସପିଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିବେ।

You might also like