ସାରୁଆ ଜମି ବିବାଦ ମାମଲା: ହାଇକୋର୍ଟରେ ଦାୟର ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କଲେ ପଣ୍ଡା ଦମ୍ପତି

କଟକ: ସାରୁଆ ଜମି ବିବାଦ ମାମଲାରେ ହାଇକୋର୍ଟରେ ଦାୟର ଆଗୁଆ ଜାମିନ ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା । ଜଷ୍ଟିସ ଦେବବ୍ରତ ଦାଶଙ୍କ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆବେଦନ ପ୍ରତ୍ୟାହାର ପାଇଁ ପ୍ରାର୍ଥନା କରାଯାଇଥିଲା । ସାରୁଆ ଜମି ପ୍ରସଙ୍ଗକୁ ନେଇ କ୍ରାଇମବ୍ରାଞ୍ଚ ଅର୍ଥନେତିକ ଶାଖା ଥାନାରେ ରୁଜୁ ମାମଲାରେ ଉଭୟ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ।

ଇଓଡବ୍ଲୁ ମାମଲାକୁ ରଦ୍ଦ କରିବା ପାଇଁ ଓଡ଼ିଶା ଇନଫ୍ରାଟେକ୍‌ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାକୁ ଗତ ନଭେମ୍ବର ୨୦ରେ ହାଇକୋର୍ଟ ଖାରଜ କରିଥିଲେ । ଏହି ମାମଲାରେ ପ୍ରଥମରୁ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଆବେଦନକାରୀ ନଥିଲେ । ନଭେମ୍ବର ୫ରେ ଶୁଣାଣି ବେଳେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମଟେଡର ପ୍ରମୋଟର ଥିବାରୁ ଇଓଡବ୍ଲୁ ମାମଲାରେ ସେମାନଙ୍କ ଗିରଫଦାରୀର ଆଶଙ୍କା ରହିଛି ବୋଲି ଦର୍ଶାଯାଇଥିଲା। ଏଥି ସହିତ ଉଭୟ ସଂସ୍ଥାର ପ୍ରମୋଟର ହୋଇଥିବାରୁ ଏହି ମାମଲାରେ ଆବେଦନକାରୀ ହେବା ପାଇଁ ଅନୁମତି ଦିଆଯାଉ ବୋଲି ମାମଲାର ଶୁଣାଣି ସମୟରେ ଦର୍ଶାଇଥିଲେ ।

ନଭେମ୍ବର ୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ପକ୍ଷ ରଖିବାକୁ କହିବା ସହିତ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ନଭେମ୍ବର ୨୦ରେ ହାଇକୋର୍ଟ ମୂଳ ଆବେଦନକୁ ଖାରଜ କରିବା ସହିତ ଗିରଫଦାରୀ ଉପରେ ଅଙ୍କୁଶ ସଂପର୍କିତ ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦେଇଥିଲେ । ଏହାପରେ ଦୁଇ ଜଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.