ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ, ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲା ପାରା
ଅସହ୍ୟ ହେଉଛି ଗରମ ଓ ଗୁଳୁଗୁଳି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା ।କେନ୍ଦୁଝର, ଭୁବନେଶ୍ୱର ଓ ସମ୍ବଲପୁରରେ ପାରଦ ଛୁଇଁଛି ୩୯ ଡିଗ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ତାତି । ଦିନ ବଢ଼ିବା ସହ ଅସହ୍ୟ ହେଉଛି ଗରମ ଓ ଗୁଳୁଗୁଳି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ସକାଳୁ ସକାଳୁ ତାତି ଅସମ୍ଭାଳ ହେଉଛି । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେଠାରେ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ ହୋଇଛି । କେନ୍ଦୁଝର, ଭୁବନେଶ୍ୱର ଓ ସମ୍ବଲପୁରରେ ପାରଦ ଛୁଇଁଛି ୩୯ ଡିଗ୍ରୀ । ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ ସବୁଠି ଡହଡହ ଖରା । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ । ପଦାକୁ ବାହାରିଲେ ଯେମିତି ଦେହ ମୁହଁ ପୋଡ଼ି ଯାଉଛି । ଅପରାହ୍ଣରେ ଆହୁରି ପ୍ରଚଣ୍ଡ ହୋଇପାରେ ଗ୍ରୀଷ୍ମ ପ୍ରବାହ । ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଛୁଇଁପାରେ ।
ଗତକାଲି ରାଜ୍ୟର ୨୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିଲା । ଏଥିରୁ ୪୩ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା ୧୦ ସହରରେ ପାରା । ବାରିପଦା ଓ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ଅଧିକ ରହୁଛି । ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି ସାରା ପଶ୍ଚିମ ଓଡ଼ିଶା । ବିଭିନ୍ନ ଜିଲ୍ଲାରେ ତାତି ୪୩ ଡିଗ୍ରୀ ଉପରେ ରହୁଛି । ଆଜି ପାଇଁ ୭ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ବୌଦ୍ଧକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପରେ ରାଜ୍ୟରେ କମିପାରେ ତାପମାତ୍ରା । ବର୍ଷା ପରିମାଣ ବଢ଼ିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ କମିବା ସମ୍ଭାବନା ରହିଛି ।