କଟକ: ଦୀପାବଳି ପୂର୍ବରୁ ବେଆଇନ୍ ବାଣ କାରଖାନା ଉପରେ ପୋଲିସର ଚଢ଼ାଉ, ୫ ଟ୍ରକରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ

କଟକ(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବେଆଇନ୍ ବାଣ କାରଖାନାରେ କମିସନରେଟ୍ ପୋଲିସର ଚଢ଼ାଉ । କଟକ ଚୌଦ୍ୱାର ଥାନା ଅଞ୍ଚଳରେ ପୋଲିସ ଅତର୍କିତ ଚଢ଼ାଉ କରି ୫ ଟ୍ରକରୁ ଊର୍ଦ୍ଧ୍ୱ ଦେଶୀ ବାଣ, ବାରୁଦ, ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ । ବେଆଇନ ବାଣ କାରଖାନା ଚାଲିଥିବା ଖବର ପାଇ ଭୋର୍ ୫ଟାରେ ତ୍ରିଲୋଚନପୁର, ମହାଜନପୁର ଗାଁରେ ଚଢାଉ କରିଥିଲା କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ । ଘଟଣାରେ ମୋଟ୍ ୧୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର । ଆଗକୁ ଦୀପାବଳି, ତାପୂର୍ବରୁ ବେଆଇନ୍ ବାଣ ନିର୍ମାଣ କାରଖାନା ଓ ଗୋଦାମ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ ପୋଲିସ । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି କଟକ ଡିସିପି ।